ଅକ୍ଷର ବ୍ୟୁରୋ: ଆଇରନ୍ ବୋଝେଇ ଟ୍ରକ୍ ଧକ୍କାରେ ଗାଈର ମୃତ୍ୟୁ ପରେ ତେଜିଛି ଅସନ୍ତୋଷ। କେନ୍ଦୁଝର ଜିଲ୍ଲା ବାଂଶପାଳ ପେଟ୍ରୋଲ ପମ୍ପ ନିକଟରେ ଆଜି ଭୋରୁ ଏକ ଆଇରନ୍ ବୋଝେଇ ଟ୍ରକ୍ ଗାଈକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଗାଈର ମୃତ୍ୟୁ ହୋଇଛି। ଏହାକୁ ନେଇ ଉତ୍ତ୍ୟକ୍ତ ହୋଇ ଦଁଅଳା ଗାଁର ଲୋକମାନେ ଶୁଆକାଟି-ଦବୁନା ରାସ୍ତାକୁ ଅବରୋଧ କରିଛନ୍ତି। ରାସ୍ତାରେ ଶହ ଶହ ଟ୍ରକ୍ ଅଟକି ରହିଥିବାରୁ ଯାତାୟାତ ବ୍ୟାହତ ହୋଇଛି। ରାସ୍ତାରେ ବେଆଇନ ଭାବେ ଆଇରନ୍ ବୋଝେଇ ଟ୍ରକ୍ ଚଳାଚଳ ବନ୍ଦ କରିବା ସହ ମୃତ ଗାଈ ପାଇଁ କ୍ଷତିପୂରଣ ଦେବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଫୁଲଝର କାରଖାନାକୁ ଯାଉଥିବା ହଜାର ହଜାର ଆଇରନ୍ ବୋଝେଇ ଟ୍ରକ୍ ନିୟମିତ ଭାବେ ଏହି ରାସ୍ତାରେ ଚଳାଚଳ କରୁଛି। ଭାରୀ ଯାନବାହନର ଲଗାତାର ଚଳାଚଳ ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ଏବଂ ଧନଜୀବନ ହାନି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆନ୍ଦୋଳନକାରୀଙ୍କ କହିବା ଅନୁସାରେ, ଗତ କିଛି ମାସ ମଧ୍ୟରେ ଏହି ରାସ୍ତାରେ ଆଇରନ୍ ବୋଝେଇ ଟ୍ରକ୍ ଯୋଗୁଁ ଘଟିଥିବା ବିଭିନ୍ନ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଇଛି। ଏଥିସହ ଗୃହପାଳିତ ପଶୁମାନେ ମଧ୍ୟ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି।
ସ୍ଥାନୀୟ ଲୋକଙ୍କ ଦାବି, ଏହି ରାସ୍ତାରେ ଟ୍ରକ୍ ଚଳାଚଳ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଥିଲେ ମଧ୍ୟ ଏହାକୁ ଅବମାନନା କରି ଟ୍ରକ୍ ଓ କାରଖାନା ମାଲିକମାନେ ମନମୁଖୀ ଭାବେ ଭାରୀ ଯାନବାହନ ଚଳାଉଛନ୍ତି। ଗାଈର ମୃତ୍ୟୁ ପରେ ଦଁଅଳା ଗାଁବାସୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ମୃତ ଗାଈ ପାଇଁ ଉଚିତ କ୍ଷତିପୂରଣ ଏବଂ ଶୁଆକାଟି-ଦବୁନା ରାସ୍ତାରେ ବେଆଇନ ଆଇରନ୍ ଟ୍ରକ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରି ରାସ୍ତାରୋକ କରାଯାଇଛି। ରାସ୍ତାରେ ଶହ ଶହ ଟ୍ରକ୍ ଅଟକି ରହିଥିବାରୁ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଛି। ପ୍ରଶାସନ ପକ୍ଷରୁ ଏନେଇ ଆଲୋଚନା କରି ଶୀଘ୍ର ସମାଧାନର ବାଟ ଖୋଜିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।












Leave a Reply