କୋଲକାତା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୯ ମୃତ, ୬ ଆହତ

ଅକ୍ଷର ବ୍ୟୁରୋ: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ନ୍ୟୁ ମାର୍କେଟ ନିକଟ ଫ୍ରି ସ୍କୁଲ ଷ୍ଟ୍ରିଟ୍‌ ଅଞ୍ଚଳରେ ବୁଧବାର ଭୋରୁ ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଅତିକମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ପରେ ଅଗ୍ନିଶମ ବାହିନୀ, ପୁଲିସ ଓ ଉଦ୍ଧାରକାରୀ ଟିମ୍‌ ପକ୍ଷରୁ ଅଭିଯାନ ଚାଲିଛି।

ରାତି ପ୍ରାୟ ୨ଟାରୁ ୨ଟା ୪୫ ମଧ୍ୟରେ ହୋଟେଲରେ ନିଆଁ ଲାଗିଥିବା ପ୍ରାଥମିକ ତଥ୍ୟ ମିଳିଛି। ହୋଟେଲରେ ଅତିଥିମାନେ ଶୋଇଥିବା ସମୟରେ ହଠାତ୍ ଧୂଆଁ ଚାରିଆଡ଼େ ବ୍ୟାପିଯାଇଥିଲା। ଧୂଆଁ ଘନ ହେବାରୁ ଅନେକ ଲୋକ ଭିତରେ ଫସିଯାଇଥିଲେ। ଅଗ୍ନିକାଣ୍ଡରେ ଅନେକ ଲୋକ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ନଅ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ରିପୋର୍ଟ ଆସିଛି। ଏହାସହ ଆହତ ୬ ଜଣଙ୍କୁ ହସ୍ପିଟାଲ ପଠାଯାଇଛି। ଅନ୍ୟ ଅନେକଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତ ଅନୁସାରେ ହୋଟେଲରେ ଯଥେଷ୍ଟ ଅଗ୍ନିନିର୍ବାପକ ଓ ସୁରକ୍ଷା ବ୍ୟବସ୍ଥା ନଥିବା ଅଭିଯୋଗ ସାମ୍ନାକୁ ଆସିଛି। ଭବନର ରାସ୍ତା ଓ ସିଢ଼ି ସଂକୀର୍ଣ୍ଣ ଥିବାରୁ ଲୋକଙ୍କୁ ତୁରନ୍ତ ବାହାର କରିବା କଷ୍ଟକର ହୋଇଥିଲା। ଜରୁରୀ ନିର୍ଗମ ପଥ ଓ ଅଗ୍ନି ସୁରକ୍ଷା ନିୟମ ନେଇ ଏବେ ପ୍ରଶ୍ନ ଉଠିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। କେତେକ ରିପୋର୍ଟରେ ସର୍ଟ ସର୍କିଟ୍‌ କିମ୍ବା ଏସିରେ ତ୍ରୁଟିକୁ ସମ୍ଭାବ୍ୟ କାରଣ ଭାବେ ଯାଞ୍ଚ କରାଯାଉଥିବା କୁହାଯାଇଛି। ଘଟଣାସ୍ଥଳରେ ପୁଲିସ ଓ ଫୋରେନସିକ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial