କିଶୋରଙ୍କୁ ‘ଆସକ୍ତ’ କରୁଥିଲା ଇନଷ୍ଟାଗ୍ରାମ? ମେଟା ବିରୋଧରେ ୨୯ ରାଜ୍ୟର ଐତିହାସିକ ମାମଲା

ଅକ୍ଷର ବ୍ୟୁରୋ: କିଶୋର ଓ ଶିଶୁଙ୍କ ଉପରେ ସୋସିଆଲ ମିଡିଆର ପ୍ରଭାବକୁ ନେଇ ମେଟା ବିରୋଧରେ ଆମେରିକାରେ ଆରମ୍ଭ ହୋଇଛି ବଡ଼ ଆଇନଗତ ଲଢ଼େଇ। ଆମେରିକାର ୨୯ଟି ରାଜ୍ୟର ଆଇନଜୀବୀମାନେ ମେଟା ତା’ର ଆଭ୍ୟନ୍ତରୀଣ ଗବେଷଣା ଓ ଦଲିଲ ଲୁଚାଇଥିବା ଏବଂ କିଶୋରମାନଙ୍କୁ ଇନଷ୍ଟାଗ୍ରାମ ଓ ଫେସବୁକ୍‌ରେ ଅଧିକ ସମୟ ରଖିବା ପାଇଁ କିଛି ଫିଚର୍‌ ଡିଜାଇନ୍‌ କରିଥିବା ଅଭିଯୋଗ ଆଣିଛନ୍ତି। ଓକଲ୍ୟାଣ୍ଡର ଫେଡେରାଲ୍ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି ଏବଂ ଏହା ପ୍ରାୟ ୬ରୁ ୮ ସପ୍ତାହ ଚାଲିବାର ଆଶା ରହିଛି। ରାଜ୍ୟଗୁଡ଼ିକର ଅଭିଯୋଗ ହେଉଛି, ମେଟା ନିଜ ଗବେଷଣାରେ ଯୁବ ବ୍ୟବହାରକାରୀଙ୍କ ଉପରେ ଏହାର ଉତ୍ପାଦର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଜାଣିଥିଲା। ତଥାପି ଯୁବପିଢ଼ିଙ୍କୁ ଆପ୍‌ରେ ଅଧିକ ସମୟ ରଖିବା ଓ ଏନ୍‌ଗେଜମେଣ୍ଟ ବଢ଼ାଇବା ଉଦ୍ଦେଶ୍ୟରେ ଇନ୍‌ଫିନିଟ୍‌ ସ୍କ୍ରୋଲ୍‌, ଅଟୋପ୍ଲେ, ନୋଟିଫିକେସନ୍‌, ରେକମେଣ୍ଡେସନ୍‌ ଓ ଲାଇକ୍‌ ଭଳି ଫିଚର୍ସ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।

କାଲିଫର୍ନିଆର ଡେପୁଟି ଆଟର୍ଣ୍ଣି ଜେନେରାଲ୍‌ ମେଗାନ୍‌ ଓ’ନିଲ୍‌ ଜୁରିଙ୍କ ସମ୍ମୁଖରେ ମେଟା ତା’ର ପ୍ଲାଟଫର୍ମର ସମ୍ଭାବ୍ୟ ବିପଦ ବିଷୟରେ ଜାଣିଥିଲେ ମଧ୍ୟ ପ୍ରୟାପ୍ତ ପଦକ୍ଷେପ ନେଇନଥିବା ଅଭିଯୋଗ ଉଠାଇଛନ୍ତି। ରାଜ୍ୟଗୁଡ଼ିକ କହିଛନ୍ତି, କମ୍ପାନୀ ଯୁବ ବ୍ୟବହାରକାରୀଙ୍କ ସୁରକ୍ଷାଠାରୁ ଅଧିକ ବ୍ୟବସାୟିକ ଲାଭକୁ ପ୍ରାଥମିକତା ଦେଇଥିଲା। ମାମଲାରେ ଦାଖଲ ହୋଇଥିବା ଆଭ୍ୟନ୍ତରୀଣ ଦସ୍ତାବିଜ ଓ ଇମେଲ୍‌ଗୁଡ଼ିକୁ ନେଇ ଆଇନଜୀବୀମାନେ ଯୁକ୍ତି ଦେବେ ଯେ ମେଟା ଯୁବପିଢ଼ିର ବ୍ୟବହାର ଓ ମାନସିକ ଦୁର୍ବଳତା ସମ୍ପର୍କରେ ଅଧ୍ୟୟନ କରିଥିଲା। ରାଜ୍ୟ ପକ୍ଷର ଦାବି ଅନୁସାରେ, କମ୍ପାନୀର କିଛି ଆଭ୍ୟନ୍ତରୀଣ ଅଧ୍ୟୟନରେ ଇନଷ୍ଟାଗ୍ରାମ ବ୍ୟବହାର ଆସକ୍ତି ସହ ଜଡ଼ିତ ହୋଇପାରେ ବୋଲି ଆଲୋଚନା ହୋଇଥିଲା।

୨୦୨୩ରେ ଦାଖଲ ହୋଇଥିବା ମାମଲାରେ ଆହୁରି ଅଭିଯୋଗ ହୋଇଛି ଯେ, ୧୩ ବର୍ଷରୁ କମ୍‌ ବୟସର ପିଲାଙ୍କ ତଥ୍ୟ ପିତାମାତାଙ୍କ ସମ୍ମତି ବିନା ସଂଗ୍ରହ କରାଯାଇଥିଲା। ଏହା ଆମେରିକାର ଶିଶୁ ଅନଲାଇନ୍‌ ଗୋପନୀୟତା ଆଇନ୍‌ (COPPA) ସହ କିଛି ରାଜ୍ୟ ଆଇନର ଉଲ୍ଲଂଘନ ବୋଲି ଅଭିଯୋଗ ରହିଛି। ଜୁନ୍‌ ୨୦୨୬ରେ କୋର୍ଟ ମେଟାର ମାମଲାକୁ ଖାରଜ କରିବା ଚେଷ୍ଟାକୁ ଅସ୍ୱୀକାର କରିଥିଲା ଏବଂ COPPA ସମ୍ପର୍କିତ ଅଭିଯୋଗକୁ ଆଗକୁ ବଢ଼ିବାକୁ ଦେଇଥିଲା। ରାଜ୍ୟଗୁଡ଼ିକ ମେଟା ବିରୋଧରେ ଆର୍ଥିକ କ୍ଷତିପୂରଣ ସହ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ର କିଛି ଫିଚର୍‌ରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ଦାବି କରିଛନ୍ତି। ମାମଲାର ବ୍ୟାପକତା ଅନୁଯାୟୀ ଦଣ୍ଡ ଓ କ୍ଷତିପୂରଣ ବହୁ ବିଲିୟନ୍‌ ଡଲାର, ରିପୋର୍ଟ ଅନୁସାରେ ୨୦୦ ବିଲିୟନ୍‌ ଡଲାର ପର୍ଯ୍ୟନ୍ତ ହୋଇପାରେ।

ଅନ୍ୟପଟେ ମେଟା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛି। ମେଟାର ଆଇନଜୀବୀ ପଲ୍‌ ସ୍ମିଟ୍‌ ଯୁକ୍ତି ଦେଇଛନ୍ତି ଯେ ରାଜ୍ୟଗୁଡ଼ିକ ଆଭ୍ୟନ୍ତରୀଣ ଦଲିଲ ଓ ଇମେଲ୍‌କୁ ବାଛି ବାଛି ଉପସ୍ଥାପନ କରୁଛନ୍ତି ଏବଂ ସେଗୁଡ଼ିକୁ ପୂରା ପ୍ରସଙ୍ଗରୁ ବିଚ୍ଛିନ୍ନ କରି ଦେଖାଯାଉଛି। କମ୍ପାନୀ ନିଜ ପକ୍ଷରୁ ଯୁବ ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଥିବା ଦାବି କରୁଛି। ଏହି ମାମଲାର ରାୟ କେବଳ ମେଟା ପାଇଁ ନୁହେଁ, ବରଂ ସୋସିଆଲ ମିଡିଆ କମ୍ପାନୀମାନେ ଯୁବ ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ କେତେ ଦାୟୀ ରହିବେ, ତାହା ନେଇ ଆମେରିକାରେ ବ୍ୟାପକ ଆଇନଗତ ପ୍ରଭାବ ପକାଇପାରେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial