ଘସିପୁରା: ବୈତରଣୀ ନଦୀରେ ପୁଣି ନବଜାତ ଶିଶୁର ମୃତଦେହ ଭାସୁଥିବା ଘଟଣାକୁ ନେଇ ଘସିପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଆଜି ସକାଳୁ ନଦୀର କାଳୀଘାଟ ନିକଟରେ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସ୍ଥାନୀୟ ଯୁବକମାନେ ନଦୀରୁ ମୃତଦେହକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ମୃତ ଶିଶୁଟି ଏକ ଶିଶୁପୁତ୍ର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସ୍ଥାନୀୟ ଯୁବକ ଗୌରାଙ୍ଗ ପାତ୍ର ଆଜି ସକାଳୁ ନଦୀକୁ ଯାଇଥିବା ବେଳେ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିଥିଲେ। ଏନେଇ ସେ ତୁରନ୍ତ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ପରେ ଅଞ୍ଚଳର କିଛି ଯୁବକ ନଦୀରୁ ମୃତ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ।
ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ଉଦ୍ବେଗ ପ୍ରକାଶ ପାଇଛି। ନବଜାତ ଶିଶୁଟିକୁ କିଏ, କାହିଁକି ଏବଂ କେଉଁ ପରିସ୍ଥିତିରେ ନଦୀରେ ଛାଡ଼ିଥିଲା, ତାହାର ନିରପେକ୍ଷ ତଦନ୍ତ କରିବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏଥିସହ ଘଟଣାରେ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି ହୋଇଛି।
ଅନ୍ୟପକ୍ଷରେ, ନିକଟସ୍ଥ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଏବଂ ନିକଟରେ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ସମ୍ପର୍କିତ ରେକର୍ଡ ଓ ପ୍ରମାଣପତ୍ର ଯାଞ୍ଚ କରାଗଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ନବଜାତ ଶିଶୁଙ୍କ ମୃତଦେହ ନଦୀରେ ଭାସୁଥିବା ଘଟଣା ସାମ୍ନାକୁ ଆସିଥିବାରୁ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିବାକୁ ଦାବି ଜୋର ଧରିଛି।












Leave a Reply