ବୁର୍ଲାରେ ବାଘ ଆତଙ୍କ! ଚାନ୍ଦଲି ପାହାଡ଼ ନିକଟରେ ପାଦଚିହ୍ନ ଚିହ୍ନଟ, ବନ ବିଭାଗର ସତର୍କତା ଜାରି

ସମ୍ବଲପୁର: ବୁର୍ଲା ଅଞ୍ଚଳରେ ବାଘ ଚଳପ୍ରଚଳକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ବୁର୍ଲା ସେକ୍ସନର ଚାନ୍ଦଲି ପାହାଡ଼ ନିକଟବର୍ତ୍ତୀ ଅଞ୍ଚଳରେ ବାଘର ପାଦଚିହ୍ନ ଚିହ୍ନଟ ହୋଇଛି। ପାଦଚିହ୍ନ ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ପାଦଚିହ୍ନଗୁଡ଼ିକ କେଉଁ ପ୍ରଜାତିର ବାଘର ଏବଂ ଏହା କେଉଁ ବାଘର, ତାହା ପରୀକ୍ଷା ଓ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ସ୍ପଷ୍ଟ ହେବ। ପ୍ରାଥମିକ ଭାବେ ବାଘର ପାଦଚିହ୍ନ ବୋଲି ଆଶଙ୍କା କରାଯାଉଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ସହ ବାହାରୁ ଆସୁଥିବା ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ବିଶେଷକରି ଚାନ୍ଦଲି ପାହାଡ଼ ଓ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବଣଭୋଜି, ଭିଡ଼ ଜମାଇବା କିମ୍ବା ଅନାବଶ୍ୟକ ବୁଲାବୁଲି ନ କରିବାକୁ ସଚେତନ କରାଯାଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳକୁ ଯିବାଆସିବା କମ୍ କରିବାକୁ ବନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଜଙ୍ଗଲ ସଂଲଗ୍ନ ରାସ୍ତା, ପାହାଡ଼ିଆ ଅଞ୍ଚଳ ଓ ବୁର୍ଲା ଆଖପାଖରେ ଚଳପ୍ରଚଳ ସମୟରେ ପୂର୍ଣ୍ଣ ସଜାଗ ରହିବାକୁ ମାଇକ୍‌ ଯୋଗେ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଛି। ପାଦଚିହ୍ନର ଯାଞ୍ଚ ପରେ ବାଘ ସମ୍ପର୍କିତ ସ୍ପଷ୍ଟ ତଥ୍ୟ ମିଳିବାକୁ ଅପେକ୍ଷା ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial