ବାଙ୍କେଶ୍ୱରୀ ଜଳପ୍ରପାତରେ ଯୁବକଙ୍କ ମୃତ୍ୟୁ, ପରିଚୟ ମିଳିଲା; ସାଙ୍ଗରେ ଥିବା ଯୁବତୀ ଗାଏବ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବାଙ୍କେଶ୍ୱରୀ ଘାଟୀର ମୁଗୁରାନାଳ ଜଳପ୍ରପାତରେ ବୁଡ଼ି ମୃତ୍ୟୁ ଘଟିଥିବା ଯୁବକଙ୍କ ପରିଚୟ ମିଳିଛି। ମୃତକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପଲାସା ଥାନା ଅନ୍ତର୍ଗତ ରେଣ୍ଟିକୋଟା ଗ୍ରାମର ସୁନୀଲ କୁମାର ପଣ୍ଡାଙ୍କ ପୁଅ ଓମ୍ ସାଇଶଙ୍କର ପଣ୍ଡା (୨୨)। ସେ ବ୍ରହ୍ମପୁରସ୍ଥିତ ଆକାଶ ଇନଷ୍ଟିଚ୍ୟୁଟରେ NEET କୋଚିଂ ନେଉଥିଲେ। ଗତକାଲି ପୂର୍ବାହ୍ନରେ ବାଙ୍କେଶ୍ୱରୀ ଜଳପ୍ରପାତରେ ଜଣେ ଯୁବକ ନିଖୋଜ ହୋଇଥିବା ନେଇ ଦିଗପହଣ୍ଡି ଥାନା ପୋଲିସକୁ ଖବର ମିଳିଥିଲା। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ଓମ୍ ସାଇଙ୍କ ସହ ସ୍କୁଟିରେ ଆସିଥିବା ଜଣେ ଯୁବତୀ ସେଠାରୁ ଚାଲିଯାଇଥିବା ଜଣାପଡ଼ିଛି।

ଘାଟୀ ରାସ୍ତାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଜଳପ୍ରପାତରୁ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପ୍ରାୟ ଦେଢ଼ ଘଣ୍ଟାର ପ୍ରୟାସ ପରେ ଯୁବକଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ତୁରନ୍ତ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମୃତ ଯୁବକଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିଲେ। ପୁଅର ମୃତ୍ୟୁ ଖବରରେ ପରିବାର ଭାଙ୍ଗିପଡ଼ିଥିବା ବେଳେ ହସ୍ପିଟାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଅନ୍ୟପଟେ, ଘଟଣାସ୍ଥଳରେ ଯୁବକଙ୍କ ସହ ଉପସ୍ଥିତ ଥିବା ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ସେ କିଏ, ଯୁବକଙ୍କ ସହ କେଉଁ ସମ୍ପର୍କରେ ଥିଲେ ଏବଂ ଘଟଣା ପରେ ସେଠାରୁ କାହିଁକି ଚାଲିଗଲେ, ତାହାକୁ ନେଇ ପୋଲିସ ତଦନ୍ତ କରୁଛି। ଯୁବତୀଙ୍କ ଭୂମିକା ସମ୍ପର୍କରେ କୌଣସି ନିଷ୍କର୍ଷକୁ ଆସିବା ପୂର୍ବରୁ ତାଙ୍କ ପରିଚୟ ଓ ଘଟଣାର ସମସ୍ତ ପରିସ୍ଥିତି ଯାଞ୍ଚ କରାଯିବ। ଦିଗପହଣ୍ଡି ପୋଲିସ ଏନେଇ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର FMTକୁ ପଠାଯାଇଛି। ଯୁବତୀଙ୍କ ପରିଚୟ ଓ ଘଟଣାର ପ୍ରକୃତ ପରିସ୍ଥିତି ସ୍ପଷ୍ଟ ହେବା ପରେ ମୃତ୍ୟୁର କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial