ପୁରୀ: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତିର ଦ୍ୱିତୀୟ ଦିନ। କାର୍ତ୍ତିକ ମାସ ପାଇଁ ସ୍ଥଗିତ ରହିଥିବା ଗଣତିମଣତି ପ୍ରକ୍ରିୟା ଗତକାଲିଠାରୁ ପୁଣି ଆରମ୍ଭ ହୋଇଛି। ଆଜି ସକାଳ ଧୂପ ନୀତି ସମ୍ପନ୍ନ ହେବା ପରେ ଭିତର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ସୁନା ଅଳଙ୍କାର ଓ ମୂଲ୍ୟବାନ ରତ୍ନର ଗଣତିମଣତି କରାଯିବ। ଚଳିତ ପର୍ଯ୍ୟାୟର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ସାମଗ୍ରିକ ଭାବେ ଗଣତିମଣତିର ଆଜି ୧୯ତମ ଦିନ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ସୂଚନା ଅନୁଯାୟୀ, ସକାଳ ଧୂପ ପରେ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍ଓପି ଅନୁସାରେ ଅଧିକୃତ କମିଟି ସଦସ୍ୟ, ସେବାୟତ ଓ ରତ୍ନ ବିଶେଷଜ୍ଞମାନେ ରତ୍ନଭଣ୍ଡାରକୁ ପ୍ରବେଶ କରିବେ। ସେଠାରେ ଅଳଙ୍କାରର ଓଜନ, ରତ୍ନର ଗୁଣବତ୍ତା ଯାଞ୍ଚ ସହ ବିସ୍ତୃତ ତାଲିକା ପ୍ରସ୍ତୁତ କରାଯିବ। ପୂର୍ବରୁ ଚଳନ୍ତି ଭଣ୍ଡାର ଓ ବାହାର ରତ୍ନଭଣ୍ଡାରର ଗଣତିମଣତି ଶେଷ ହୋଇଛି। ଏବେ ଭିତର ରତ୍ନଭଣ୍ଡାରରେ ଥିବା ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ରତ୍ନର ଗଣତିମଣତି ଜାରି ରହିଛି। ଭିତର ରତ୍ନଭଣ୍ଡାରର ତିନୋଟି ପୁରୁଣା ସିନ୍ଦୁକରେ ରହିଥିବା ଅଳଙ୍କାରକୁ ଗଣତିମଣତି ପରେ ସୁରକ୍ଷିତ ଭାବେ ରଖିବା ପାଇଁ ତିନୋଟି ନୂଆ କାଠ ସିନ୍ଦୁକ ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏବଂ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଚାଲିଛି। ଗଣତିମଣତିର ସ୍ୱଚ୍ଛତା ଓ ରେକର୍ଡ ପାଇଁ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି, ଫଟୋଗ୍ରାଫି ଏବଂ ଥ୍ରିଡି ମ୍ୟାପିଂ କରାଯାଉଛି। ଅନ୍ୟପଟେ, ରତ୍ନଭଣ୍ଡାର ଗଣତିମଣତି ପାଇଁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ପ୍ରଭାବିତ ହେବ ନାହିଁ। ଆଜି ମଧ୍ୟ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିପାରିବେ। ମହାପ୍ରସାଦ ବ୍ୟବସ୍ଥା ମଧ୍ୟ ସ୍ୱାଭାବିକ ରହିବ।
ଦୀର୍ଘ ୪୮ ବର୍ଷ ପରେ ଚଳିତ ବର୍ଷ ମାର୍ଚ୍ଚରେ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହୋଇଥିଲା। କାର୍ତ୍ତିକ ମାସ ପୂର୍ବରୁ ୧୭ ଦିନରେ ମୋଟ ୯୩ ଘଣ୍ଟା ୫୧ ମିନିଟ୍ ଧରି ଗଣତିମଣତି ହୋଇଥିଲା। ଗତକାଲି ଏହି ପ୍ରକ୍ରିୟାର ୧୮ତମ ଦିନ ଥିଲା। ଏଯାଏ ଯାଞ୍ଚ ହୋଇଥିବା ହୀରା, ମାଣିକ୍ୟ, ନୀଳା ଓ ମୋତି ଭଳି ମୂଲ୍ୟବାନ ରତ୍ନ ୧୯୭୮ ମସିହାର ତାଲିକା ସହ ମେଳ ଖାଉଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଏବେ ଭିତର ରତ୍ନଭଣ୍ଡାରର ଅବଶିଷ୍ଟ ଅଳଙ୍କାର ଓ ରତ୍ନର ଗଣତିମଣତି ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।











Leave a Reply