ପୁରୀ: ଆଜିଠୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତିମଣତି ପ୍ରକ୍ରିୟା। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାରର ଗଣତି, ମେଳ ଓ ମୂଲ୍ୟାୟନ କରାଯିବ। ଏଥର ଭିତର ରତ୍ନଭଣ୍ଡାରରେ ଥିବା ଅବଶିଷ୍ଟ ଅଳଙ୍କାର ଗଣତି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏଥିପାଇଁ ତିନୋଟି କାଠ ସିନ୍ଦୁକ ଖୋଲାଯିବ ଏବଂ ଅଳଙ୍କାରଗୁଡ଼ିକୁ ୧୯୭୮ ମସିହାର ତାଲିକା ସହ ମେଳ କରାଯିବ। ଏହି ତିନି ସିନ୍ଦୁକରେ କେଉଁ କେଉଁ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ରହିଛି, ତାହା ଜାଣିବାକୁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି।
ସ୍ଥାନାଭାବ ଯୋଗୁଁ ଏହି ଗଣତିମଣତି ଖଟଶେଜ ଘରେ କରାଯିବାର ସମ୍ଭାବନା ରହିଛି। ରତ୍ନ ଅଳଙ୍କାରରେ ଥିବା ମୂଲ୍ୟବାନ ପଥରଗୁଡ଼ିକର ଚିହ୍ନଟ ଓ ମୂଲ୍ୟାୟନ ପାଇଁ ଅଭିଜ୍ଞ ରତ୍ନ ବିଶେଷଜ୍ଞଙ୍କ ସହାୟତା ନିଆଯିବ। ସମସ୍ତ ଅଳଙ୍କାରର ସବିଶେଷ ତଥ୍ୟ ସଂରକ୍ଷଣ ପାଇଁ ଫଟୋଗ୍ରାଫି, ଭିଡିଓଗ୍ରାଫି ଓ ଥ୍ରିଡି ମ୍ୟାପିଂ ଭଳି ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରାଯିବ। ଏହାସହ ସମସ୍ତ ରତ୍ନ ଅଳଙ୍କାରର ଏକ ବିସ୍ତୃତ ଡିଜିଟାଲ୍ କାଟାଲଗ୍ ପ୍ରସ୍ତୁତ କରାଯାଉଛି।
୨୦୨୬ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା ଏକାଧିକ ପର୍ଯ୍ୟାୟରେ ଚାଲିଛି। ଏପର୍ଯ୍ୟନ୍ତ ୧୭ ଦିନରେ ମୋଟ ୯୩ ଘଣ୍ଟା ୫୧ ମିନିଟ୍ ଧରି ଗଣତିମଣତି କରାଯାଇଛି। ଶେଷଥର ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଏହି ପ୍ରକ୍ରିୟା ହୋଇଥିଲା। ପବିତ୍ର କାର୍ତ୍ତିକ ମାସ ପାଇଁ ଗଣତିମଣତିକୁ ସ୍ଥଗିତ ରଖାଯାଇଥିଲା।ଦୀର୍ଘ ୪୬ ବର୍ଷ ପରେ ୨୦୨୪ ଜୁଲାଇ ୧୪ ତାରିଖରେ ଖୋଲାଯାଇଥିଲା ଭିତର ରତ୍ନଭଣ୍ଡାର। ଏହା ପୂର୍ବରୁ ୧୯୭୮ ମସିହାରେ ରତ୍ନଭଣ୍ଡାରର ବିସ୍ତୃତ ଗଣତିମଣତି ହୋଇଥିଲା। ବର୍ତ୍ତମାନ ଗଣତି ହେଉଥିବା ରତ୍ନ ଅଳଙ୍କାରଗୁଡ଼ିକୁ ସେହି ୧୯୭୮ ମସିହାର ତାଲିକା ସହ ମେଳ କରାଯାଉଛି।
ଗଣତିମଣତି ପାଇଁ ଦୁଇ ଦିନ ଧରି ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବେ। ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଯେପରି ପ୍ରଭାବିତ ନହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍ଓପି ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରକ୍ରିୟା ପରିଚାଳିତ ହେବ। ତେବେ ଆସନ୍ତାକାଲି ସୁଦ୍ଧା ଅବଶିଷ୍ଟ ରତ୍ନ ଅଳଙ୍କାରର ଗଣତିମଣତି ଶେଷ ହେବ କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଗଣତିମଣତି ଶେଷ ନହେଲେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପୁଣି ଦିନ ଧାର୍ଯ୍ୟ କରାଯାଇପାରେ।











Leave a Reply