ଜମୁଛି କଟକ ବାଲିଯାତ୍ରା, ଦର୍ଶକଙ୍କ ମନ ମୋହୁଛି ‘ଜିରୋ ଗ୍ରାଭିଟି’ ଦୋଳି

କଟକ: ଜମୁଛି କଟକର ଐତିହାସିକ ବାଲିଯାତ୍ରା । ବୁଲାବୁଲି, କିଣାକିଣି ଓ ଖାଦ୍ୟର ମଜା ସାଙ୍ଗକୁ ମନୋରଞ୍ଜନର ବିଭିନ୍ନ ଆକର୍ଷଣରେ ମତୁଆଲା ଦର୍ଶକ । ଚଳିତ ବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଛି ‘ଜିରୋ ଗ୍ରାଭିଟି’ ଦୋଳି । ପ୍ରଥମଥର ପାଇଁ କଟକ ବାଲିଯାତ୍ରାରେ ଏହି ଦୋଳି ସ୍ଥାନ ପାଇଥିବା ବେଳେ ଏହାର ରୋମାଞ୍ଚକର ଅନୁଭୂତି ନେବାକୁ ଦର୍ଶକଙ୍କ ଭିଡ଼ ଜମୁଛି । ଦୋଳିରେ ବସିବା ପାଇଁ ଟିକେଟ୍ ମୂଲ୍ୟ ୧୫୦ ଟଙ୍କା ରହିଛି ।

ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଉଦଘାଟିତ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ମେଳାର ଉଦଘାଟନୀ ସମାରୋହରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ବ୍ରଜମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ । କଟକ ସିଲଭର ସିଟି ବୋଟିଂ କ୍ଲବରୁ ସ୍ୱତନ୍ତ୍ର ଡଙ୍ଗା ‘କଳିଙ୍ଗ ତରଙ୍ଗିଣୀ’ରେ ଗଡ଼ଗଡ଼ିଆ ଘାଟରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରେ ବୋଇତ ଭସାଇ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରିଥିଲେ ।

ଏହାପରେ ORMAS ଷ୍ଟଲ୍ ଉଦଘାଟନ କରିଥିଲେ ରାଷ୍ଟ୍ରପତି । ଗଣକବି ବୈଷ୍ଣବ ପାଣି ମଞ୍ଚରେ ଦୀପ ପ୍ରଜ୍ୱଳନ କରି ବିଧିବଦ୍ଧ ଭାବେ ବାଲିଯାତ୍ରାର ଉଦଘାଟନୀ ସମାରୋହ ସମ୍ପନ୍ନ ହୋଇଥିଲା । ଆଠ ଦିନ ଧରି ଚାଲିବ ଏହି ପ୍ରସିଦ୍ଧ ମେଳା । ଉଭୟ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ବିଭିନ୍ନ ବାଣିଜ୍ୟିକ ଷ୍ଟଲ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମନୋରଞ୍ଜନର ବ୍ୟବସ୍ଥା ରହିଛି । ପ୍ରଥମ ଦିନରୁ ହିଁ ମେଳାରେ ଦର୍ଶକଙ୍କ ଭିଡ଼ ଜମୁଥିବା ବେଳେ ଜିରୋ ଗ୍ରାଭିଟି ଦୋଳି ଚଳିତ ବର୍ଷର ନୂଆ ଆକର୍ଷଣ ଭାବେ ସମସ୍ତଙ୍କ ମନ ଜିଣୁଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial