ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ପୁଣି ତତ୍ପରତା । ନଭେମ୍ବର ୨୬ ଓ ୨୭ ତାରିଖରେ ହେବ ରତ୍ନଭଣ୍ଡାର ଗଣତିମଣତିର ପରବର୍ତ୍ତୀ ପର୍ଯ୍ୟାୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ସୁନା, ରୁପା ଓ ରତ୍ନଖଚିତ ଅଳଙ୍କାରର ସଠିକ୍ ହିସାବ ପ୍ରସ୍ତୁତ କରିବା ସହ ସେଗୁଡ଼ିକର ସଂଖ୍ୟା, ପ୍ରକାର, ଓଜନ ଓ ଅବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । ଏଥିସହ ୧୯୭୮ ମସିହାରେ ପ୍ରସ୍ତୁତ ପୁରୁଣା ତାଲିକା ସହ ବର୍ତ୍ତମାନର ଅଳଙ୍କାର ତଥ୍ୟ ମେଳ କରାଯିବ । ଦୀର୍ଘବର୍ଷ ପରେ ଆରମ୍ଭ ହୋଇଥିବା ଏହି ଗଣତିମଣତି ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି ।
ସୂଚନା ଅନୁସାରେ, ୨୦୨୬ ମାର୍ଚ୍ଚ ୨୫ ତାରିଖରୁ ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସରକାରଙ୍କ ଅନୁମୋଦିତ ନିୟମାବଳୀ ଅନୁସାରେ ମାଜିଷ୍ଟ୍ରେଟ୍, ଅଧିକୃତ ସେବାୟତ, ରତ୍ନ ବିଶେଷଜ୍ଞ ଓ ସମ୍ପୃକ୍ତ ଅଧିକାରୀଙ୍କ ଉପସ୍ଥିତିରେ ଅଳଙ୍କାରଗୁଡ଼ିକର ଯାଞ୍ଚ କରାଯାଉଛି । ଏହି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଫଟୋଗ୍ରାଫି, ଭିଡିଓଗ୍ରାଫି ସହ ଥ୍ରୀ-ଡି ମ୍ୟାପିଂ ମାଧ୍ୟମରେ ଡିଜିଟାଲ୍ ରେକର୍ଡ ପ୍ରସ୍ତୁତ କରାଯାଉଛି । ଅଳଙ୍କାରଗୁଡ଼ିକର ପ୍ରକୃତ ସ୍ଥିତି ଓ ବିବରଣୀ ସଂରକ୍ଷଣ କରି ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ଉଲ୍ଲେଖଯୋଗ୍ୟ, ଦୀର୍ଘ ୪୬ ବର୍ଷ ପରେ ୨୦୨୪ ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଭିତର ଭଣ୍ଡାର ଖୋଲାଯାଇଥିଲା । ଏହାର ଚାରି ଦିନ ପରେ ଅର୍ଥାତ୍ ଜୁଲାଇ ୧୮ ତାରିଖରେ ଭିତର ଭଣ୍ଡାରରୁ ମୂଲ୍ୟବାନ ସାମଗ୍ରୀ ସ୍ଥାନାନ୍ତର କରାଯାଇଥିଲା । ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI)ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ଅନ୍ୟପଟେ, ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି ହୋଇଥିଲା । ସେତେବେଳର ତାଲିକା ଅନୁସାରେ, ଭିତର ଓ ବାହାର ରତ୍ନଭଣ୍ଡାରରେ ମୋଟ ୪୫୪ଟି ସୁନା ଅଳଙ୍କାର ଓ ସାମଗ୍ରୀ ଏବଂ ୨୯୩ଟି ରୁପା ସାମଗ୍ରୀ ଥିବା ଉଲ୍ଲେଖ ରହିଛି । ତେଣୁ ଦୀର୍ଘ ବର୍ଷ ପରେ ହେଉଥିବା ନୂଆ ଗଣତିରେ ପୁରୁଣା ତାଲିକା ସହ ବର୍ତ୍ତମାନର ତଥ୍ୟ କେତେ ମେଳ ଖାଉଛି, ତାହା ଜାଣିବାକୁ ସମସ୍ତଙ୍କ ଆଗ୍ରହ ରହିଛି ।
ଏହି ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ରତ୍ନଭଣ୍ଡାରର ନୂଆ ତାଲିକା ପ୍ରସ୍ତୁତ ହେବ । କିନ୍ତୁ ସୁରକ୍ଷା ଓ ପରମ୍ପରାକୁ ଦୃଷ୍ଟିରେ ରଖି ଏହାକୁ ସାର୍ବଜନୀନ କରାଯିବ ନାହିଁ । ମହାପ୍ରଭୁଙ୍କ ଅମୂଲ୍ୟ ସମ୍ପତ୍ତିର ସୁରକ୍ଷା, ସଂରକ୍ଷଣ ଓ ସ୍ୱଚ୍ଛ ହିସାବ ରଖିବା ଦୃଷ୍ଟିରୁ ଏହି ଗଣତିମଣତି ପ୍ରକ୍ରିୟା ବେଶ୍ ଗୁରୁତ୍ୱ ବହନ କରୁଛି । ତେଣୁ ନଭେମ୍ବର ୨୬ ଓ ୨୭ ତାରିଖର ପରବର୍ତ୍ତୀ ପର୍ଯ୍ୟାୟ ଉପରେ ଏବେ ସମସ୍ତଙ୍କ ନଜର ।












Leave a Reply