ଅକ୍ଷର ବ୍ୟୁରୋ: ଆଜି ପବିତ୍ର ବଡ଼ ଓଷା । ସବୁ ପ୍ରତୀକ୍ଷାର ହେଲା ଅନ୍ତ । ବର୍ଷକ ପରେ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ । ମହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧିକ୍ଷଣରେ ପାଳିଆ ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ଏହି ସ୍ୱତନ୍ତ୍ର ଭୋଗ ବାବାଙ୍କୁ ସମର୍ପଣ କରାଯାଇଛି । ପରେ ଏହାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିତରଣ କରାଯାଇଛି । ବଡ଼ ଓଷାର ଏହି ବିଶେଷ ଅବସରରେ ଧବଳେଶ୍ୱର ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ବାବାଙ୍କ ଦର୍ଶନ ପାଇଁ ଛୁଟି ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।
ବାବା ଧବଳେଶ୍ୱରଙ୍କ ପ୍ରସିଦ୍ଧ ଗଜଭୋଗ ପ୍ରସ୍ତୁତି ପଛରେ ରହିଛି ସେବାୟତ ପରିବାରର ଦୀର୍ଘ ଏକ ମାସର ନିଷ୍ଠା ଓ ପରିଶ୍ରମ । ଗଜଭୋଗ ପ୍ରସ୍ତୁତି ପାଇଁ ଆଗୁଆ ଜାତିଆ ଧାନର ଚାଉଳ ସଂଗ୍ରହ କରାଯାଇଥାଏ । ଏଥିସହ ଗଜମଣ୍ଡାର ପୁର ପ୍ରସ୍ତୁତି ପାଇଁ ମୁଗ, ଗୁଡ଼, ନଡ଼ିଆ ଓ କର୍ପୂର ଆଦି ସାମଗ୍ରୀ ଶୁଦ୍ଧପୂତ ଭାବେ ସଂଗ୍ରହ କରାଯାଇ ରଖାଯାଏ । ଚାଉଳ ଚୁନା କୁଟିବାଠାରୁ ଆରମ୍ଭ କରି ଗଜଭୋଗ ଓ ତରଣ ପ୍ରସ୍ତୁତି ଏବଂ ବାବାଙ୍କ ପାଖରେ ଭୋଗ ଲାଗି ହେବା ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକୁ ସେବାୟତ ପରିବାର ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ସମ୍ପନ୍ନ କରିଥାନ୍ତି ।
ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ବାର ମାସରେ ତେର ପର୍ବ । ପ୍ରତ୍ୟେକ ପର୍ବ ପଛରେ ରହିଛି ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ । ସେହିପରି ଓଡ଼ିଶାର ପ୍ରମୁଖ ଶୈବ ପର୍ବ ମଧ୍ୟରୁ ବଡ଼ ଓଷା ଅନ୍ୟତମ । ବିଶେଷକରି କଟକ ଜିଲ୍ଲାର ମହାନଦୀ ମଧ୍ୟରେ ଅବସ୍ଥିତ ଧବଳେଶ୍ୱର ପୀଠରେ ଏହି ପର୍ବକୁ ମହାଆଡ଼ମ୍ବରରେ ପାଳନ କରାଯାଏ । ବଡ଼ ଓଷା ଅବସରରେ ବାବାଙ୍କ ଦର୍ଶନ, ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଗଜଭୋଗ ପ୍ରାପ୍ତି ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ବର୍ଷକୁ ଥରେ ମିଳୁଥିବା ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣକୁ ପାଇ ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥାନ୍ତି ।












Leave a Reply