ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ହିଟ୍ ଆଣ୍ଡ୍ ରନ୍ । ଓମଫେଡ୍ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦ୍ରୁତଗତିରେ ଆସୁଥିବା ଏକ ହାଇୱା ଟ୍ରକ୍ ବାଇକ୍ ଆରୋହୀଙ୍କୁ ପଛପଟୁ ଧକ୍କା ଦେବା ପରେ ତାଙ୍କ ଉପରେ ଚଢ଼ିଯାଇଥିଲା । ଏଥିରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ ହାଇୱା ନେଇ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରୁ ହାଇୱାକୁ ଜବତ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଅନ୍ୟପଟେ ମୃତ ବାଇକ୍ ଆରୋହୀଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ ।
ସୂଚନା ଅନୁସାରେ, ଓମଫେଡ୍ ଛକ ନିକଟରେ ବାଇକ୍ରେ ଯାଉଥିବା ଜଣେ ଯୁବକଙ୍କୁ ଦ୍ରୁତଗତିରେ ଆସୁଥିବା ହାଇୱା ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍ ଆରୋହୀ ହାଇୱା ଚକା ତଳେ ପଡ଼ିଯାଇଥିଲେ । ଦୁର୍ଘଟଣା ପରେ ଡ୍ରାଇଭର ହାଇୱା ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।
ମୃତକଙ୍କ ବାଇକ୍ଟି ବ୍ଲାକ୍ ରଙ୍ଗର ଗ୍ଲାମର ହୋଇଥିବା ବେଳେ ଏହାର ରେଜିଷ୍ଟ୍ରେସନ୍ ନମ୍ବର OD33AX5832 ବୋଲି ଜଣାପଡ଼ିଛି । ତେବେ ମୃତକ କିଏ ଏବଂ କେଉଁଠାରୁ ଆସୁଥିଲେ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱାକୁ ଜବତ କରିଛି । ଫେରାର ଡ୍ରାଇଭରଙ୍କୁ ଚିହ୍ନଟ କରି ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ରାଜଧାନୀର ବ୍ୟସ୍ତବହୁଳ ରାସ୍ତାରେ ଭାରୀଯାନର ଦ୍ରୁତଗତି ଓ ବେପରୁଆ ଚାଳନାକୁ ନେଇ ପୁଣି ପ୍ରଶ୍ନ ଉଠିଛି ।












Leave a Reply