ନଭେମ୍ବର ଶେଷରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ! ପୁଣି ବାତ୍ୟା ଆଶଙ୍କାକୁ ନେଇ ବଢ଼ିଲା ଚର୍ଚ୍ଚା

ଅକ୍ଷର ବ୍ୟୁରୋ: ନଭେମ୍ବର ଶେଷରେ ପୁଣି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଆଶଙ୍କା । ଅକଭାନ୍ ପରେ ଆଉ ଏକ ନୂଆ ପାଣିପାଗ ବ୍ୟବସ୍ଥାକୁ ନେଇ ବଢ଼ିଲା ଚର୍ଚ୍ଚା । ନଭେମ୍ବର ୨୯ରୁ ୩୦ ତାରିଖ ମଧ୍ୟରେ ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD) । ତେବେ ଏହି ଘୂର୍ଣ୍ଣିବଳୟ ଲଘୁଚାପ କିମ୍ବା ଅବପାତର ରୂପ ନେବ କି ନାହିଁ, ଏପରିକି ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି କି ନାହିଁ, ତାହା ଏବେଠାରୁ ସ୍ପଷ୍ଟ ହୋଇନାହିଁ । ଏହାର ଗତିପଥ ଓ ତୀବ୍ରତା ଉପରେ ନଜର ରଖିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ନଭେମ୍ବର ୧୯ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ବିସ୍ତାରିତ ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ଶେଷ ସପ୍ତାହରେ ବଙ୍ଗୋପସାଗରରେ ଏହି ନୂଆ ପାଣିପାଗ ବ୍ୟବସ୍ଥା ସୃଷ୍ଟି ହୋଇପାରେ । ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ଏହାର ତୀବ୍ରତା ଓ ଗତିପଥ ସମ୍ପର୍କରେ ଏବେଠାରୁ କୌଣସି ଆକଳନ କରିବା ଶୀଘ୍ର ହେବ ବୋଲି କହିଛନ୍ତି । କାରଣ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଅର୍ଥ ଏହା ବାତ୍ୟାର ରୂପ ନେବା ନୁହେଁ । ସମୁଦ୍ରର ଉଷ୍ଣ ଜଳରାଶି, ବାୟୁମଣ୍ଡଳରେ ଆର୍ଦ୍ରତା ଏବଂ ଅନ୍ୟାନ୍ୟ ପାଣିପାଗୀୟ ପରିସ୍ଥିତି ଅନୁକୂଳ ରହିଲେ ଏହା ଅଧିକ ସଂଗଠିତ ହୋଇପାରେ ।

ଅନ୍ୟପଟେ ନିକଟରେ ବାତ୍ୟା ଅକଭାନ୍‌ର ପ୍ରଭାବ ଅନୁଭବ କରିଥିବା ଓଡ଼ିଶାରେ ଏହି ନୂଆ ପାଣିପାଗ ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି । ବିଶେଷକରି ଧାନ ଅମଳ ସମୟରେ ପୁଣି ବର୍ଷା ହେବାର ସମ୍ଭାବନା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଏହି ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶା ଉପରେ କେତେ ରହିବ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ରାଜ୍ୟରେ ବର୍ଷା କିମ୍ବା ବାତ୍ୟା ନେଇ ଆଇଏମ୍‌ଡି ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସତର୍କ ସୂଚନା ଜାରି ହୋଇନାହିଁ । ତେଣୁ ଆଗାମୀ ଦିନରେ ଏହି ପାଣିପାଗ ବ୍ୟବସ୍ଥା କେଉଁ ରୂପ ନେଉଛି ଏବଂ ଏହାର ଗତିପଥ କେଉଁ ଦିଗକୁ ରହୁଛି, ତାହା ଉପରେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial