ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପଥରଗାଡ଼ିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣାକୁ ନେଇ ଚାଞ୍ଚଲ୍ୟ। ଗତକାଲି ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ପଥରଗାଡ଼ିଆ ୨୦୦ ଫୁଟିଆ ରାସ୍ତାରେ ଜଣେ ୨୧ ବର୍ଷୀୟା ଯୁବତୀ ନିଜକୁ ଗୁରୁତର ଭାବେ ଆହତ କରିଛନ୍ତି। ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ଅଂଶ ଦଗ୍ଧ ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଅନୁଗୁଳ ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ଯୁବତୀଙ୍କ ଘର ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରେ। ସେ ପୂର୍ବରୁ ନୟାପଲ୍ଲୀ ଥାନା ଅନ୍ତର୍ଗତ ଏକ ନର୍ସିଂ ଇନଷ୍ଟିଚ୍ୟୁଟରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। କିଛି ମାସ ପୂର୍ବରୁ ତାଙ୍କର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ବିଚ୍ଛେଦ ହୋଇଥିବା ଜଣାପଡ଼ିଛି। ଏହି ସମ୍ପର୍କକୁ ନେଇ ଘଟଣା ଘଟିଥିବା ପ୍ରାଥମିକ ଭାବେ କୁହାଯାଉଥିଲେ ମଧ୍ୟ ଏହାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତୁରନ୍ତ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁସାରେ, ଏହି ଘଟଣାରେ ଅନୁଗୁଳ ଅଞ୍ଚଳର ସମ୍ପୃକ୍ତ ପୂର୍ବତନ ପ୍ରେମିକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଅନ୍ୟପଟେ, ଏତେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା କିପରି ଘଟିଲା, ସେନେଇ ଯୁବତୀଙ୍କ ବାପା ପ୍ରଶ୍ନ ଉଠାଇଛନ୍ତି। ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।













Leave a Reply