ପୁରୀ: ଆଜି ପବିତ୍ର ଅଁଳା ନବମୀ । ଏହି ପବିତ୍ର ଅବସରରେ ପୁରୀ ଜିଲ୍ଲା ସତ୍ୟବାଦୀର ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ଅନୁଷ୍ଠିତ ହେଉଛି ଦୁର୍ଲଭ ରାଧାପାଦ ଦର୍ଶନ । ବର୍ଷକୁ ଥରେ ମା’ ରାଧାରାଣୀଙ୍କ ଶ୍ରୀପାଦ ଦର୍ଶନର ସୁଯୋଗ ମିଳୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଛୁଟିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ମା’ ରାଧାରାଣୀ ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇଥିବାବେଳେ ପ୍ରଭୁ ସାକ୍ଷୀଗୋପାଳ ନଟବର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା’ଙ୍କ ଶ୍ରୀପାଦ ଦର୍ଶନ ପାଇଁ ମନ୍ଦିର ପରିସରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ।
ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଏହି ସ୍ୱତନ୍ତ୍ର ପରମ୍ପରା ପାଳନ କରାଯାଏ । ବର୍ଷସାରା ମା’ ରାଧାରାଣୀଙ୍କ ପାଦ ବସ୍ତ୍ରରେ ଆବୃତ ରହୁଥିବାବେଳେ କେବଳ ଅଁଳା ନବମୀ ଦିନ ଭକ୍ତମାନେ ତାଙ୍କର ଶ୍ରୀପାଦ ଦର୍ଶନ କରିବାର ସୁଯୋଗ ପାଆନ୍ତି । ଏହି ଦିନ ମା’ ରାଧାରାଣୀ କାଣିଆଁ କଛା ମାରି ମଠା ବସ୍ତ୍ର ପରିଧାନ କରି ଓଡ଼ିଆଣୀ ବେଶରେ ସଜେଇ ହୁଅନ୍ତି । ଅନ୍ୟପଟେ ଶ୍ରୀକୃଷ୍ଣ ନଟବର ବେଶରେ ଦର୍ଶନ ଦିଅନ୍ତି । ମା’ଙ୍କ ଶ୍ରୀପାଦ ଦର୍ଶନ କଲେ ପୁଣ୍ୟଲାଭ ହୁଏ ବୋଲି ଭକ୍ତଙ୍କ ମଧ୍ୟରେ ଗଭୀର ବିଶ୍ୱାସ ରହିଛି । ଅଁଳା ନବମୀ ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିର ଆୟୋଜନ କରାଯାଇଛି । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାତି ୧ଟାରେ ଦ୍ୱାରଫିଟା ନୀତି ସମ୍ପନ୍ନ ହେବା ପରେ ରାତି ୨ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଛି । ଭୋର ୫ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସେବାୟତ ଓ ମନ୍ଦିର କର୍ମଚାରୀଙ୍କ ପରିବାର ପାଇଁ ଦର୍ଶନ ବ୍ୟବସ୍ଥା ରହିଥିବାବେଳେ ସକାଳ ୬ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଜାରି ରହିଛି ।
ସମ୍ଭାବ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ୨୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏଥିସହ ବ୍ୟାରିକେଡ୍ ନିର୍ମାଣ, ଟ୍ରାଫିକ୍ ପରିଚାଳନା ଓ ପାନୀୟ ଜଳ ଯୋଗାଣ ଉପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ସେହିପରି ମନ୍ଦିର ଭିତରେ ମୋବାଇଲ୍ ଫୋନ୍ ଓ କ୍ୟାମେରା ବ୍ୟବହାର ଉପରେ କଟକଣା ଲଗାଯାଇଛି । ଭକ୍ତମାନେ ନିୟମ ମାନିବା ସହ ପ୍ରଶାସନକୁ ସହଯୋଗ କରି ଶୃଙ୍ଖଳିତ ଭାବେ ଦର୍ଶନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।













Leave a Reply