ରୁଷିଆରେ ଭୟଙ୍କର ବିମାନ ଦୁର୍ଘଟଣା, An-12 କ୍ରାସ୍‌ରେ ୧୯ ମୃତ

ମସ୍କୋ: ରୁଷିଆରେ ଏକ ଭୟଙ୍କର ବିମାନ ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ସାମରିକ ପରିବହନ ବିମାନ An-12 ଖସିପଡ଼ିବା ଯୋଗୁଁ ବିମାନରେ ଥିବା ସମସ୍ତ ୧୯ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ବିମାନର ସମସ୍ତ ଚାଳକ ଦଳର ସଦସ୍ୟ ଥିବା ଜଣାପଡ଼ିଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ପଶ୍ଚିମ ସାଇବେରିଆର କେମେରୋଭୋ ଅଞ୍ଚଳର ୟାଗୁନୋଭୋ ଗାଁ ନିକଟ ଏକ ଜନଶୂନ୍ୟ ସ୍ଥାନରେ ବିମାନଟି ଖସିପଡ଼ିଥିଲା। ଦୁର୍ଘଟଣା ସମୟରେ ବିମାନରେ ମୋଟ ୧୯ ଜଣ ଥିଲେ। ତେବେ କାହାରିକୁ ଜୀବିତ ଉଦ୍ଧାର କରାଯାଇପାରିନାହିଁ। ଜନବସତିଠାରୁ ଦୂରରେ ବିମାନଟି ଖସିପଡ଼ିଥିବାରୁ ଭୂମିରେ ଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କ କ୍ଷତି ହୋଇନଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ବିମାନର ଯନ୍ତ୍ରପାତିରେ ବୈଷୟିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏନେଇ ରୁଷିଆ ବାୟୁସେନାର ବିଶେଷଜ୍ଞମାନେ ତଦନ୍ତ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, An-12 ହେଉଛି ସୋଭିଏତ୍ ସଂଘ ଅମଳର ଏକ ସାମରିକ ପରିବହନ ବିମାନ। ଏଥିରେ ଚାରୋଟି ଟର୍ବୋପ୍ରପ୍ ଇଞ୍ଜିନ୍ ରହିଛି। ସୈନିକ, ସାମରିକ ଉପକରଣ ଏବଂ ଜରୁରୀ ସାମଗ୍ରୀ ପରିବହନ ପାଇଁ ଏହି ବିମାନ ବ୍ୟବହୃତ ହୋଇଥାଏ। ୧୯୫୦ ଦଶକର ଶେଷ ଭାଗରୁ ଏହା ସେବାରେ ରହିଛି। ଦୀର୍ଘ ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ରୁଷିଆ ସମେତ ବିଶ୍ୱର ଅନେକ ଦେଶରେ ଏହାର ବ୍ୟବହାର ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial