ସିଦ୍ଧାର୍ଥନଗର: ରାସ୍ତାକଡ଼ରେ ମିଳୁଥିବା ପାନିପୁରୀ ଓ ଟିକ୍କି ଖାଇବା ପଡ଼ିଲା ମହଙ୍ଗା। ଦୂଷିତ ଖାଦ୍ୟ ଖାଇ ପ୍ରାୟ ୧୦୦ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଶିଶୁ, ମହିଳା ଓ ବୟସ୍କ ବ୍ୟକ୍ତି ରହିଛନ୍ତି। ଏପରିକି ପ୍ରାୟ ୩୫ରୁ ୩୬ ଜଣ ଶିଶୁ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାର ଦୁଇଟି ଗାଁ ପେଦାରୀ ଓ କଲନାଖୋରରେ ଏଭଳି ଘଟଣା ଘଟିଛି। ଅସୁସ୍ଥମାନଙ୍କୁ ସିଦ୍ଧାର୍ଥନଗରସ୍ଥିତ ମାଧବ ପ୍ରସାଦ ତ୍ରିପାଠୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଜଣେ ରାସ୍ତାକଡ଼ ବିକ୍ରେତା ଖେସରାହା ଥାନା ଅନ୍ତର୍ଗତ ପେଦାରୀ ଓ କଲନାଖୋର ଗାଁକୁ ଆସି ପାନିପୁରୀ ଓ ଟିକ୍କି ବିକ୍ରି କରିଥିଲେ। ଗାଁର ଅନେକ ଲୋକ, ବିଶେଷକରି ଶିଶୁ ଓ ବୟସ୍କମାନେ ତାଙ୍କଠାରୁ ଏହି ଖାଦ୍ୟ କିଣି ଖାଇଥିଲେ। ତେବେ ଖାଦ୍ୟ ଖାଇବାର କିଛି ଘଣ୍ଟା ପରେ ବିଭିନ୍ନ ପରିବାରର ଲୋକଙ୍କଠାରେ ବାନ୍ତି ଓ ଝାଡ଼ା ଭଳି ଲକ୍ଷଣ ଦେଖାଦେଇଥିଲା। ଧୀରେ ଧୀରେ ଅଧିକ ଲୋକ ଅସୁସ୍ଥ ହେବାରୁ ଗାଁରେ ଆତଙ୍କ ଖେଳିଯାଇଥିଲା। ପରିସ୍ଥିତି ଗୁରୁତର ହେବାରୁ ପରିବାର ଲୋକେ ଅସୁସ୍ଥମାନଙ୍କୁ ମେଡିକାଲ କଲେଜକୁ ନେଇଥିଲେ। ସେଠାରେ ପ୍ରାୟ ୧୦୦ ଜଣଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିବା ଜଣାପଡ଼ିଛି। ମେଡିକାଲ କଲେଜରେ ଭର୍ତ୍ତି ରୋଗୀଙ୍କ ମଧ୍ୟରେ ୩୫ରୁ ୩୬ ଜଣ ଶିଶୁ ରହିଛନ୍ତି। ଫଳରେ ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ ଜମିଥିଲା।
ପ୍ରାରମ୍ଭିକ ଅବସ୍ଥାରେ ତିନିଜଣ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା। ତେବେ ଡାକ୍ତରଙ୍କ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି ଏବଂ ବର୍ତ୍ତମାନ ସେମାନେ ସ୍ଥିର ଅଛନ୍ତି। ଅନ୍ୟ ସମସ୍ତ ରୋଗୀଙ୍କୁ ମଧ୍ୟ ଡାକ୍ତରୀ ତତ୍ତ୍ୱାବଧାନରେ ରଖାଯାଇ ଚିକିତ୍ସା ଜାରି ରହିଛି। ପ୍ରାଥମିକ ଭାବେ ଦୂଷିତ ପାନିପୁରୀ ଓ ଟିକ୍କି ଖାଇବା ଯୋଗୁଁ ଏହି ଫୁଡ୍ ପଏଜନିଂ ହୋଇଥିବା ଅଭିଯୋଗ ହୋଇଛି। ତେବେ ଖାଦ୍ୟରେ କେଉଁ କାରଣରୁ ଦୂଷିତ ହୋଇଥିଲା, ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ପରେ ଦୁଇଟି ଗାଁରେ ଚିନ୍ତା ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।















Leave a Reply