ନୟାଗଡ଼: ଆଲୋକର ପର୍ବ ଦୀପାବଳିରେ ଖୁସିର ମାହୋଲ ଭିତରେ ଖେଳିଗଲା ଶୋକର ଛାୟା। ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଲିଯାଇଛି ୩ ଜଣଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଅନ୍ତର୍ଗତ ଶାଳଭଙ୍ଗା ଜଙ୍ଗଲ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, ଭୁବନେଶ୍ୱରରୁ ଏକ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଅଭିମୁଖେ ଯାଉଥିଲା। ତେବେ ଆମ୍ବୁଲାନ୍ସରେ ରୋଗୀଙ୍କ ବଦଳରେ ଈଶ୍ୱର ସାହୁଙ୍କ ମୃତଦେହ ରହିଥିଲା ଏବଂ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଗାଡ଼ିରେ ଥିଲେ। ଏହି ସମୟରେ ବାଣୀଗୋଛା ଥାନା ନିକଟ ଶାଳଭଙ୍ଗା ଜଙ୍ଗଲରେ ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ରେ ଆମ୍ବୁଲାନ୍ସଟି ଏକ କଲଭର୍ଟ ନିକଟରେ ନିୟନ୍ତ୍ରଣ ହରାଇଥିଲା। ଦ୍ରୁତଗତିରେ ଥିବା ଗାଡ଼ିଟି କଲଭର୍ଟରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଦୁର୍ଘଟଣା ପରେ ଆମ୍ବୁଲାନ୍ସରେ ଥିବା ଲୋକମାନେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ବାଣୀଗୋଛା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରତାପ ବାଗ, ଶୀର୍ଷ ବାଗଙ୍କ ସମେତ ମୋଟ ୩ ଜଣଙ୍କର ମୃତ୍ୟୁ ଘଟିଛି।ଅନ୍ୟପଟେ ଈଶ୍ୱର ସାହୁଙ୍କ ପୁଅ ରାଜୁ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି। ଅନ୍ୟପଟେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।













Leave a Reply