ଭୁବନେଶ୍ୱର: ରାଜଧାନୀରେ ବୃଦ୍ଧାଙ୍କୁ ହତ୍ୟା କରି ଫେରାର କେୟାରଟେକର୍। ବୁଦ୍ଧନଗରର କୁଞ୍ଜଲତା ହତ୍ୟାକାଣ୍ଡକୁ ନେଇ ଯେତିକି ତଦନ୍ତ ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ହତ୍ୟାକାଣ୍ଡରେ କେବଳ କେୟାରଟେକର୍ ବଳଭଦ୍ର ମହାରଣା ନୁହେଁ, ତାଙ୍କ ସହ ଆଉ ଜଣେ ସହଯୋଗୀଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗରରେ ଘଟିଥିବା ଏହି ହତ୍ୟାକାଣ୍ଡର ରହସ୍ୟ ଭେଦିବା ପାଇଁ ପୋଲିସ ତନାଘନା ଜୋରଦାର କରିଛି।
ହତ୍ୟା ପଛରେ ଲୁଟ୍ ନା ଆଉ କିଛି କାରଣ?
ଫେରାର କେୟାରଟେକର୍ ବଳଭଦ୍ର ମହାରଣା ଓ ତାଙ୍କ ସନ୍ଦିଗ୍ଧ ସହଯୋଗୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବାବେଳେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ସ୍କୁଟି ସମ୍ପର୍କରେ ମଧ୍ୟ ଖୋଳତାଡ଼ ଚାଲିଛି। ହତ୍ୟା ପରେ ଦୁଇ ସନ୍ଦିଗ୍ଧ କେଉଁ ରାସ୍ତାରେ ଫେରାର ହୋଇଛନ୍ତି, କେଉଁଠି ଆତ୍ମଗୋପନ କରିଛନ୍ତି ଏବଂ ସେମାନଙ୍କୁ ଫେରାର ହେବାରେ ଆଉ କେହି ସହାୟତା କରିଛନ୍ତି କି ନାହିଁ, ସେସବୁ ଦିଗରେ ତଦନ୍ତ ଚାଲିଛି।
୧୫ ଭରି ସୁନା, ୬୦ ହଜାର ଟଙ୍କା ଲୁଟ୍
ଏହି ହତ୍ୟାକାଣ୍ଡରେ ୧୫ ଭରି ସୁନା ଓ ୬୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ତଦନ୍ତକୁ ନୂଆ ଦିଗ ଦେଇଛି। ଘରେ ସୁନା ଓ ନଗଦ ଟଙ୍କା ଥିବା ସମ୍ପର୍କରେ କେୟାରଟେକର୍ ପୂର୍ବରୁ ଜାଣିଥିଲେ କି? ଏକାକୀ ରହୁଥିବା ବୃଦ୍ଧାଙ୍କ ବିଶ୍ୱାସ ଜିତିବା ପରେ ଲୁଟ୍ ଯୋଜନା କରାଯାଇଥିଲା କି? ଚାରି ମାସ ଧରି ଘରର ଗତିବିଧି ଓ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଥିଲା କି? ନା ଏହା ଏକ ଆକସ୍ମିକ ଲୁଟ୍ ଯୋଜନା ଥିଲା? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ।
ଘରେ କାମ କରୁଥିବା ଅନ୍ୟ ସହାୟିକାଙ୍କୁ ଜେରା
ଘଟଣାକୁ ନେଇ ଘରେ କାମ କରୁଥିବା ଅନ୍ୟ ସହାୟିକା ଏବଂ ନିୟମିତ ଯିବାଆସିବା କରୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି। କେୟାରଟେକର୍ ବଳଭଦ୍ରଙ୍କ ସହଯୋଗୀ କିଏ? ସେ କେତେଦିନ ଧରି ବଳଭଦ୍ରଙ୍କ ସହ ଯୋଗାଯୋଗରେ ଥିଲେ? ଘର ଭିତରର ତଥ୍ୟ ତାଙ୍କ ପାଖରେ କିପରି ପହଞ୍ଚିଥିଲା? ଏହି ସବୁ ଦିଗରେ ତଦନ୍ତ ଜାରି ରହିଛି। ଦୁଇ ସନ୍ଦିଗ୍ଧଙ୍କୁ ଧରାଯିବା ପରେ ହତ୍ୟାକାଣ୍ଡ ପଛର ପ୍ରକୃତ ଉଦ୍ଦେଶ୍ୟ ସ୍ପଷ୍ଟ ହେବା ଆଶା କରାଯାଉଛି।
ବୃଦ୍ଧବୃଦ୍ଧାଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ
କୁଞ୍ଜଲତା ହତ୍ୟାକାଣ୍ଡ କେବଳ ଏକ ଅପରାଧିକ ଘଟଣା ନୁହେଁ, ରାଜଧାନୀରେ ଏକାକୀ ରହୁଥିବା ବରିଷ୍ଠ ନାଗରିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛି। ବରିଷ୍ଠ ନାଗରିକଙ୍କ ସହାୟତା ଓ ସୁରକ୍ଷା ପାଇଁ ପୋଲିସର ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ ବିଭିନ୍ନ ଥାନାରେ ସିନିୟର ସିଟିଜେନ୍ ସେଲ୍ ରହିଛି। ତଥାପି ଏହି ବ୍ୟବସ୍ଥା କେତେ ପ୍ରଭାବଶାଳୀ, ଏକାକୀ ରହୁଥିବା ବୃଦ୍ଧବୃଦ୍ଧାଙ୍କ ସହ ପୋଲିସ ନିୟମିତ ଯୋଗାଯୋଗ ରଖୁଛି କି ନାହିଁ, ଘରେ ନିଯୁକ୍ତ କେୟାରଟେକର୍ଙ୍କ ସମ୍ପର୍କରେ ପୋଲିସ ପାଖରେ ଆବଶ୍ୟକ ତଥ୍ୟ ରହୁଛି କି ନାହିଁ, ଏବେ ଏସବୁ ପ୍ରଶ୍ନ ଚର୍ଚ୍ଚାକୁ ଆସିଛି।












Leave a Reply