ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତରୀ ଶିକ୍ଷା କ୍ଷେତ୍ରକୁ ମିଳିଛି ବଡ଼ ସଫଳତା । ରାଜ୍ୟରେ ଏକାଥରେ ବୃଦ୍ଧି ପାଇଛି ୩୧୮ଟି ସ୍ନାତକୋତ୍ତର ବା ପିଜି ମେଡିକାଲ ସିଟ୍ । ଜାତୀୟ ମେଡିକାଲ କମିଶନ (NMC) ୧୪ଟି ବିଭାଗରେ ଅତିରିକ୍ତ ସିଟ୍କୁ ଅନୁମୋଦନ ଦେଇଛନ୍ତି । ଫଳରେ ଓଡ଼ିଶାରେ ମୋଟ ପିଜି ସିଟ୍ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି । ଏହି ନିଷ୍ପତ୍ତି ରାଜ୍ୟର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାର ନୂଆ ଦ୍ୱାର ଖୋଲିବା ସହ ଆଗାମୀ ଦିନରେ ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି ।
ଏହି ସିଟ୍ ସମ୍ପ୍ରସାରଣରେ ରାଜ୍ୟର ନୂତନ ମେଡିକାଲ କଲେଜଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । କେନ୍ଦୁଝରର ଧରଣୀଧର ମେଡିକାଲ କଲେଜରେ ୪୪ଟି, ସୁନ୍ଦରଗଡ଼ ମେଡିକାଲ କଲେଜରେ ୨୨ଟି, କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୨୮ଟି, ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ୩୨ଟି ଏବଂ ଫୁଲବାଣୀର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜରେ ୨୭ଟି ପିଜି ସିଟ୍କୁ ମଞ୍ଜୁରି ମିଳିଛି । ଏହି ପାଞ୍ଚଟି ମେଡିକାଲ କଲେଜରେ ମୋଟ ୧୫୩ଟି ପିଜି ସିଟ୍ ଉପଲବ୍ଧ ହେବ ।
ସେହିପରି ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ପିଜି ସିଟ୍ ସଂଖ୍ୟା ୨୦ରୁ ବୃଦ୍ଧି ପାଇ ୫୩ରେ ପହଞ୍ଚିଛି । ବଲାଙ୍ଗୀରର ଭୀମ ଭୋଇ ମେଡିକାଲ କଲେଜରେ ୧୦ରୁ ୫୪କୁ ଏବଂ ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜରେ ୮ରୁ ୫୪କୁ ସିଟ୍ ସଂଖ୍ୟା ବୃଦ୍ଧି ପାଇଛି । ଅନ୍ୟପଟେ କଟକର ଏସ୍ସିବି ମେଡିକାଲ କଲେଜରେ ଅତିରିକ୍ତ ୧୭ଟି, ବୁର୍ଲାର ଭିମ୍ସାର୍ରେ ୧୧ଟି, ଭୁବନେଶ୍ୱରର ପିଜିଆଇଏମ୍ଇଆର୍ ଓ କ୍ୟାପିଟାଲ ହସ୍ପିଟାଲରେ ୧୧ଟି ଏବଂ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ୩ଟି ଅତିରିକ୍ତ ପିଜି ସିଟ୍କୁ ଅନୁମୋଦନ ମିଳିଛି ।
ଜେନେରାଲ ମେଡିସିନ୍, ଜେନେରାଲ ସର୍ଜରୀ, ଶିଶୁରୋଗ, ପ୍ରସୂତି ଓ ସ୍ତ୍ରୀରୋଗ, ଅସ୍ଥିଶଲ୍ୟ, ନିଶ୍ଚେତକ, ମାନସିକ ରୋଗ ଏବଂ ଶ୍ୱାସରୋଗ ସମେତ ମୋଟ ୧୪ଟି ବିଭାଗରେ ଏହି ସିଟ୍ ବୃଦ୍ଧି କରାଯାଇଛି । ଫଳରେ ଅଧିକ ସଂଖ୍ୟକ ଏମ୍ବିବିଏସ୍ ଡାକ୍ତର ଓଡ଼ିଶାରେ ରହି ପିଜି ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇବେ । ଏହାଦ୍ୱାରା ରାଜ୍ୟରେ ଭବିଷ୍ୟତରେ ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାସ୍ତରରେ ଉନ୍ନତ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାରେ ସହାୟତା ମିଳିବ । ଏଥିସହ ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ସିଟ୍ ବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି ।












Leave a Reply