ଢେଙ୍କାନାଳ ଗଜଲକ୍ଷ୍ମୀ ଭସାଣିରେ ପୋଲିସର ଲାଠିଚାର୍ଜ, ୨ ଶିଶୁଙ୍କ ସମେତ ୨୦ରୁ ଅଧିକ ଆହତ!

ଢେଙ୍କାନାଳ: ଗଜଲକ୍ଷ୍ମୀ ପୂଜା ଭସାଣି ଶୋଭାଯାତ୍ରା ବେଳେ ପୋଲିସର ଲାଠିଚାର୍ଜକୁ ନେଇ ଢେଙ୍କାନାଳ ସହରରେ ତୀବ୍ର ଉତ୍ତେଜନା। ପୋଲିସର ଠେଙ୍ଗା ଓ ପାଇପ୍ ମାଡ଼ରେ ୨ ଜଣ ଶିଶୁଙ୍କ ସମେତ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଅଭିଯୋଗ ହୋଇଛି। ଆହତଙ୍କ ମଧ୍ୟରେ ମହିଳା, ବଜାର ପୂଜା କମିଟିର ସଦସ୍ୟ ଏବଂ ଲାଇଟ୍‌ ଧରିବା ପାଇଁ ଆସିଥିବା ଶ୍ରମିକ ଥିବା ଜଣାପଡ଼ିଛି। ସହରର କାଞ୍ଚନ ବଜାର ଓ ବାଜିଚୌକ ଛକ ନିକଟରେ ଏହି ଲାଠିଚାର୍ଜ ହୋଇଥିବା ଅଭିଯୋଗ ଆସିଛି।

ସୂଚନା ଅନୁଯାୟୀ, ଗତକାଲି ମିଳିତ ବଜାର ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜାର ମିଳିତ ଭସାଣି ଶୋଭାଯାତ୍ରା ଚାଲିଥିଲା। ରାତି ୧୧ଟା ପରେ ସହରର ମୁଖ୍ୟ ରାସ୍ତାର କାଞ୍ଚନ ବଜାରଠାରୁ ବାଜିଚୌକ ପର୍ଯ୍ୟନ୍ତ ବିଭିନ୍ନ ମେଢ଼ ଯାଉଥିବା ବେଳେ ତାହାକୁ ଦେଖିବା ପାଇଁ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା। ତେବେ ମେଢ଼ଗୁଡ଼ିକ ନିର୍ଦ୍ଧାରିତ ସମୟସାରଣୀଠାରୁ ସାମାନ୍ୟ ବିଳମ୍ବରେ ଯାଉଥିବାରୁ ପୋଲିସ ଲୋକଙ୍କ ଉପରେ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ପୋଲିସର ଏହି କାର୍ଯ୍ୟାନୁଷ୍ଠାନରୁ ଶିଶୁ, ମହିଳା, ପୂଜା କମିଟିର ସଦସ୍ୟ ଏପରିକି ଭସାଣି ଶୋଭାଯାତ୍ରାରେ ଲାଇଟ୍‌ ଧରିବା ପାଇଁ ଆସିଥିବା ଶ୍ରମିକମାନେ ମଧ୍ୟ ବାଦ୍ ପଡ଼ିନଥିଲେ। ପୋଲିସର ଠେଙ୍ଗା ଓ ପାଇପ୍ ମାଡ଼ରେ ଅନେକ ଲୋକ ଆହତ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ସମୟରେ ଢେଙ୍କାନାଳ ଏସ୍‌ପି ଆଜିଙ୍କ୍ୟ ବି. ମାନେ ନିଜେ ଉପସ୍ଥିତ ଥିଲେ।

ଏହି ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଲୋକେ ହୋହଲ୍ଲା କରିଥିଲେ। ତେବେ ଏତେ ବଡ଼ ଘଟଣାକୁ ନେଇ ଏସ୍‌ପିଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ମତାମତ ଆସିନାହିଁ। ଆଜି ଦିନ ୧୧ଟାରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଥିବାରୁ ସେଠାରେ କି ନିଷ୍ପତ୍ତି ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial