ନୂଆଦିଲ୍ଲୀ: ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଏକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ରାୟ । କୌଣସି ବ୍ୟକ୍ତିଙ୍କୁ ପୋଲିସ କିମ୍ବା ତଦନ୍ତକାରୀ ସଂସ୍ଥା ପ୍ରକୃତରେ ଅଟକ ରଖିବା ମୁହୂର୍ତ୍ତରୁ ୨୪ ଘଣ୍ଟାର ସମୟସୀମା ଆରମ୍ଭ ହେବ । ଗିରଫକୁ ଆନୁଷ୍ଠାନିକ ଭାବେ ରେକର୍ଡ କରିବା ସମୟରୁ ଏହାର ଗଣନା ହେବ ନାହିଁ । ସମ୍ବିଧାନର ଅନୁଚ୍ଛେଦ ୨୨(୨) ଅନୁଯାୟୀ, ଅଟକ ରଖିବାର ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ବାଧ୍ୟତାମୂଳକ । ଏହି ସମୟ ଅତିକ୍ରମ କରି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାନଗଲେ, ତାଙ୍କୁ ତୁରନ୍ତ ହେପାଜତରୁ ମୁକ୍ତ କରିବାକୁ ପଡ଼ିବ । ସୁଜିତ ଦାସ ବନାମ ଭାରତ ସରକାର ମାମଲାର ଶୁଣାଣି କରି ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ ଓ ଜଷ୍ଟିସ୍ ଅତୁଲ ଏସ୍. ଚନ୍ଦୁରକରଙ୍କ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।
ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କ ସ୍ୱାଧୀନତାକୁ ସୀମିତ କରି ତାଙ୍କୁ ଅଟକ ରଖାଯିବା ମାତ୍ରେ ୨୪ ଘଣ୍ଟାର ସାମ୍ବିଧାନିକ ସମୟସୀମା ଆରମ୍ଭ ହେବ । କେବଳ ଅଦାଲତକୁ ନେବା ପାଇଁ ଆବଶ୍ୟକ ଯାତ୍ରା ସମୟକୁ ଏହି ଗଣନାରୁ ବାଦ୍ ଦିଆଯାଇପାରିବ । ଅର୍ଥାତ୍, ଗିରଫ ପ୍ରକ୍ରିୟାକୁ ବିଳମ୍ବରେ ରେକର୍ଡ କରି ତଦନ୍ତକାରୀ ସଂସ୍ଥା ଅତିରିକ୍ତ ସମୟ ନେଇପାରିବେ ନାହିଁ । ଅଟକ ଓ ଗିରଫ ମଧ୍ୟରେ କୃତ୍ରିମ ପାର୍ଥକ୍ୟ ଦେଖାଇ ସମ୍ବିଧାନର ନିୟମକୁ ଏଡ଼ାଇବାର ସୁଯୋଗ ନାହିଁ ବୋଲି କୋର୍ଟ କହିଛନ୍ତି ।
ଏହା ସହିତ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୫୮କୁ ନେଇ ମଧ୍ୟ କୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ୨୪ ଘଣ୍ଟାର ସମୟସୀମା ମଧ୍ୟରେ ଅଟକ ରଖାଯାଇଥିଲେ ମଧ୍ୟ ଏହା ଯୁକ୍ତିସଙ୍ଗତ ହେବା ଆବଶ୍ୟକ । ଅନାବଶ୍ୟକ ଭାବେ କାହାକୁ ଦୀର୍ଘ ସମୟ ଅଟକ ରଖିବାକୁ ତଦନ୍ତକାରୀ ସଂସ୍ଥାଙ୍କୁ ଅନୁମତି ନାହିଁ । ଏଭଳି ସ୍ଥିତିରେ ମାଜିଷ୍ଟ୍ରେଟ୍ ଅଟକ ରଖିବାର ଯଥାର୍ଥତା ଯାଞ୍ଚ କରିବା ସହ ରିମାଣ୍ଡ ଆବେଦନକୁ ଖାରଜ କରିପାରିବେ ।
ରିମାଣ୍ଡ ଆବେଦନର ବିଚାର ସମୟରେ ମାଜିଷ୍ଟ୍ରେଟମାନଙ୍କ ପାଇଁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ଅଟକ ବ୍ୟକ୍ତିଙ୍କୁ ପ୍ରକୃତରେ କେବେ ଏବଂ କେତେବେଳେ ହେପାଜତକୁ ନିଆଯାଇଥିଲା, ତାହା ରେକର୍ଡ କରିବାକୁ ହେବ । ଏଥିସହିତ ସମ୍ବିଧାନର ଅନୁଚ୍ଛେଦ ୨୨(୨) ଅନୁଯାୟୀ ୨୪ ଘଣ୍ଟାର ନିୟମ ପାଳନ ହୋଇଛି କି ନାହିଁ, ତାହା ନିଶ୍ଚିତ କରିବାକୁ ପଡ଼ିବ ।
ଏହି ରାୟରେ ଓଡ଼ିଶା ହାଇକୋର୍ଟଙ୍କ ଅରିୟମନ ପଟ୍ଟନାୟକ ମାମଲା, ମାଡ୍ରାସ ହାଇକୋର୍ଟଙ୍କ କନ୍ନନ ମାମଲା ଏବଂ କେରଳ ହାଇକୋର୍ଟଙ୍କ ଅରୁଣ କେ. ଥୋମାସ ମାମଲାରେ ଦିଆଯାଇଥିବା ଆଇନଗତ ବ୍ୟାଖ୍ୟାକୁ ସୁପ୍ରିମକୋର୍ଟ ଭୁଲ୍ ବୋଲି ଦର୍ଶାଇଛନ୍ତି । ସେହିପରି ସୁଖବିନ୍ଦର ସିଂହ ଓରଫ୍ ଗୋରା ମାମଲାରେ ସମ୍ବିଧାନର ଅନୁଚ୍ଛେଦ ୨୧ ଏବଂ ଏନ୍ଡିପିଏସ୍ ଆଇନର ଧାରା ୩୭ ସମ୍ପର୍କିତ କେତେକ ପର୍ଯ୍ୟବେକ୍ଷଣ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ତେବେ ସମାନ ସ୍ତରର ଅନ୍ୟ ଏକ ଖଣ୍ଡପୀଠଙ୍କ ନିଷ୍ପତ୍ତି ଉପରେ ଏହି ମାମଲାରେ କୌଣସି ଚୂଡ଼ାନ୍ତ ରାୟ ଦିଆଯାଇନାହିଁ ।














Leave a Reply