ଭୁବନେଶ୍ୱର: ଦୀପାବଳି ପୂର୍ବରୁ ପୁଣି ଅଶାନ୍ତ ହୋଇପଡ଼ିଛି ରାଜଧାନୀ । ରାଜଧାନୀର ଜନଗହଳିପୂର୍ଣ୍ଣ ଲକ୍ଷ୍ମୀସାଗର କଟକ ରୋଡ୍ରେ ଘଟିଛି ଗୁଳିକାଣ୍ଡ । ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ୪ଟି ବୋମାମାଡ଼ ସହ ୨ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଆତତାୟୀ । ମୃତ ଯୁବକ ହେଲେ ହଳଦୀପଡ଼ିଆ ଅଞ୍ଚଳର ସୋନୁ ନାୟକ । ଏହି ଘଟଣାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି ।
ସୂଚନା ଅନୁଯାୟୀ, ସୋନୁ ନିଜ ବାଇକ୍ରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ । ଲକ୍ଷ୍ମୀସାଗରସ୍ଥିତ ରାଧିକା ଏନକ୍ଲେଭ୍ ନିକଟରେ ଥିବା ଏକ ମଲ୍ ସମ୍ମୁଖରେ ତାଙ୍କୁ ଟାର୍ଗେଟ୍ କରିଥିଲେ । ସେଠାରେ ଦୁର୍ବୃତ୍ତମାନେ ଗୁଳି ଚଳାଇବା ସହ ବୋମାମାଡ଼ କରିଥିଲେ । ଗୁଳି ସୋନୁଙ୍କ ମୁଣ୍ଡରେ ବାଜିବାରୁ ସେ ରାସ୍ତା ଉପରେ ପଡ଼ିଯାଇଥିଲେ । ଏହାପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ କେଉଁ କାରଣରୁ ସୋନୁଙ୍କୁ ହତ୍ୟା କରାଯାଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପ୍ରେମ ବ୍ୟାପାର କିମ୍ବା ନିଶା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ତଦନ୍ତ ପରେ ହିଁ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ।
ଅନ୍ୟପଟେ ଘଟଣା ପରେ ତତ୍ପର ହୋଇଉଠିଛି କମିଶନରେଟ୍ ପୋଲିସ । ଲକ୍ଷ୍ମୀସାଗର ଥାନା ପୋଲିସ ସହ ସ୍ପେଶାଲ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିଜେ ପୋଲିସ କମିଶନର ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆକ୍ରମଣକାରୀଙ୍କ ପରିଚୟ ଓ ହତ୍ୟା ପଛର କାରଣ ଖୋଜିବା ସହ ପୋଲିସ ଘଟଣାର ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି ।












Leave a Reply