କେରଳରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଜୀବନ

ଛତ୍ରପୁର: ରୋଜଗାର ଆଶାରେ କେରଳ ଯାଇଥିବା ଓଡ଼ିଆ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ । ଆମ୍ବୁଲାନ୍ସ ଧକ୍କାରେ ଜୀବନ ହରାଇଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଝରପୋଖରୀ ଗ୍ରାମର ଶୁଭମ ଦାସ । ସେ ଜଗବନ୍ଧୁ ଦାସଙ୍କ ପୁଅ । ଶୁଭମ କେରଳର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କାର୍ଯ୍ୟ ସାରି ଫେରୁଥିବା ସମୟରେ ଏକ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଦୁଃଖଦ ଘଟଣା ପରେ ଶୁଭମଙ୍କ ମୃତଦେହକୁ ନିଜ ଗାଁକୁ ଫେରାଇ ଆଣିବା ଏବଂ ପରିବାରକୁ ସରକାରୀ ଆର୍ଥିକ ସହାୟତା ସହ ବକେୟା ପ୍ରାପ୍ୟ ପ୍ରଦାନ ଦାବି ଜୋର୍ ଧରିଛି । ଏନେଇ ଶୁଭମଙ୍କ ପରିବାରବର୍ଗ ଓ ବିଜେଡିର ଏକ ପ୍ରତିନିଧି ଦଳ ଛତ୍ରପୁରସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲ୍‌ଓ) ବର୍ଷାରାଣୀ ଜେନାଙ୍କୁ ଭେଟି ଗୁହାରି ଜଣାଇଛନ୍ତି ।

ଏହି ଅବସରରେ ମୃତ ଶୁଭମଙ୍କ ଭାଇ ପ୍ରଶାନ୍ତ ଦାସଙ୍କ ସମେତ ଯୁବନେତା ଅଭିରାମ ପ୍ରଧାନ, ସନ୍ତୋଷ ବେହେରା, ଟିକିନା ଗୌଡ଼, ଛତ୍ରପୁର ବ୍ଲକ ବିଜେଡି ସଭାପତି ଏସ୍. ଚକ୍ରପାଣି ରେଡ୍ଡୀ ଏବଂ ଯୁବ ବିଜେଡି ନେତା ରାଜେଶ ମହାରଣା ଉପସ୍ଥିତ ଥିଲେ । ସେମାନେ ଡିଏଲ୍‌ଓଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଶୁଭମଙ୍କ ମୃତଦେହ ଯଥାଶୀଘ୍ର ଗାଁକୁ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ । ଏଥିସହ ମୃତକଙ୍କ ପରିବାରକୁ ନିୟମ ଅନୁଯାୟୀ ଆର୍ଥିକ ସହାୟତା ଏବଂ ତାଙ୍କର ସମସ୍ତ ବକେୟା ପ୍ରାପ୍ୟ ଯୋଗାଇଦେବାକୁ ଦାବି ଜଣାଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial