ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି, ସହାୟତା ଦେବାକୁ ପ୍ରତିଶ୍ରୁତି ଦେଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରବର୍ତ୍ତୀ ବନ୍ୟାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାଷ ଜମିଠାରୁ ଆରମ୍ଭ କରି ରାସ୍ତାଘାଟ, ବିଦ୍ୟୁତ୍ ବ୍ୟବସ୍ଥା, ନଦୀବନ୍ଧ, କେନାଲ, ପୋଲ, ମାଛ ପୋଖରୀ ଓ ପ୍ରାଣୀ ସମ୍ପଦ ପ୍ରଭାବିତ ହୋଇଛି । ଏହି କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଗସ୍ତରେ ଆସିଥିବା ୮ ଜଣିଆ କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟ ଦଳ କ୍ଷେତ୍ର ପରିଦର୍ଶନ ପରେ ରାଜ୍ୟ ସରକାରଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ପୁନର୍ନିର୍ମାଣ, ନଦୀବନ୍ଧ ସୁଦୃଢ଼ୀକରଣ ଓ ଅନ୍ୟାନ୍ୟ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ କେନ୍ଦ୍ରୀୟ ସହାୟତା ପ୍ରଦାନ ସମ୍ପର୍କରେ ଦଳ ପକ୍ଷରୁ ଆଶ୍ୱାସନା ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ କେନ୍ଦ୍ରୀୟ ଦଳକୁ କ୍ଷୟକ୍ଷତିର ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଆସିଥିବା ୮ ଜଣିଆ କେନ୍ଦ୍ରୀୟ ଦଳ ନଭେମ୍ବର ୩ ତାରିଖରେ ଗଜପତି ଏବଂ ନଭେମ୍ବର ୪ ତାରିଖରେ ଗଞ୍ଜାମ ଜିଲ୍ଲାର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି ସମୟରେ କ୍ଷୟକ୍ଷତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ସ୍ଥାନୀୟ ସ୍ଥିତି ଓ ପ୍ରଭାବିତ ଲୋକଙ୍କ ସମସ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ଏହାପରେ ଲୋକସେବା ଭବନରେ ହୋଇଥିବା ବୈଠକରେ ନିଜର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ଓ ଅଭିଜ୍ଞତା ଉପସ୍ଥାପନ କରିଥିଲେ ।

କେନ୍ଦ୍ରୀୟ ଦଳରେ କୃଷି ଓ କୃଷକ କଲ୍ୟାଣ ବିଭାଗ, ଧାନ ବିକାଶ ନିର୍ଦ୍ଦେଶାଳୟ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ, ଜଳଶକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏବଂ ଇସ୍ରୋର ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ରର ପ୍ରତିନିଧିମାନେ ସାମିଲ ଥିଲେ ।

ବୈଠକରେ କେନ୍ଦ୍ରୀୟ ଦଳ କହିଥିଲା ଯେ, ବାତ୍ୟା ଓ ବନ୍ୟା ଯୋଗୁଁ ଚାଷ ଜମିରେ ବ୍ୟାପକ କ୍ଷତି ହୋଇଛି । ସେହିପରି ସଡ଼କ, ବିଦ୍ୟୁତ୍ ବ୍ୟବସ୍ଥା, ନଦୀବନ୍ଧ ଓ କେନାଲ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପ୍ରଭାବିତ ଅଞ୍ଚଳରେ ନଦୀବନ୍ଧ ଓ କେନାଲର ଉଚ୍ଚତା ବୃଦ୍ଧି ସହ ସୁଦୃଢ଼ୀକରଣର ଆବଶ୍ୟକତା ରହିଛି । ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ରାସ୍ତା ଏବଂ ସେତୁ ମଧ୍ୟ ପ୍ରଭାବିତ ହୋଇଛି । କେତେକ ସ୍ଥାନରେ ସାମୟିକ ମରାମତି କରାଯାଇଥିବା ବେଳେ ଦୀର୍ଘକାଳୀନ ପୁନରୁଦ୍ଧାର ପାଇଁ ଅଧିକ କାର୍ଯ୍ୟ ଆବଶ୍ୟକ ବୋଲି ଆଲୋଚନା ହୋଇଛି । ଏଥିସହିତ ମାଛ ପୋଖରୀ ଓ ପ୍ରାଣୀ ସମ୍ପଦର ବ୍ୟାପକ କ୍ଷତି ହୋଇଥିବା ମଧ୍ୟ ଜଣାପଡ଼ିଛି ।

ଅନ୍ୟପଟେ କ୍ଷୟକ୍ଷତିର ପରିମାଣ ବ୍ୟାପକ ହୋଇଥିବାରୁ ସମ୍ପୂର୍ଣ୍ଣ ଆକଳନ ପାଇଁ ଆଉ କିଛିଦିନ ସମୟ ଲାଗିବ ବୋଲି ଜିଲ୍ଲାପାଳମାନେ ବୈଠକରେ ସୂଚନା ଦେଇଛନ୍ତି । ଏଥିପାଇଁ ଘରକୁ ଘର ଯାଇ କ୍ଷୟକ୍ଷତିର ସର୍ବେକ୍ଷଣ କରିବାକୁ କେନ୍ଦ୍ରୀୟ ଟିମ୍ ପରାମର୍ଶ ଦେଇଛି । ବିଭିନ୍ନ ବିଭାଗରୁ ମିଳିଥିବା ତଥ୍ୟ ଆଧାରରେ ଏସ୍‌ଆର୍‌ସି ରାଜେଶ ପ୍ରଭାକର ପାଟିଲଙ୍କ ପକ୍ଷରୁ ପ୍ରସ୍ତୁତ ପ୍ରାରମ୍ଭିକ ବିବରଣୀ କେନ୍ଦ୍ରୀୟ ଦଳକୁ ହସ୍ତାନ୍ତର କରାଯାଇଛି ।

ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ଓଡ଼ିଶା ପ୍ରତିବର୍ଷ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ତେଣୁ ବିପର୍ଯ୍ୟୟ ପରିଚାଳନା ସହ ଆଗୁଆ ପ୍ରସ୍ତୁତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ରାଜ୍ୟ ସର୍ବାଧିକ ଗୁରୁତ୍ୱ ଦେଉଛି । ଭବିଷ୍ୟତରେ ବିପର୍ଯ୍ୟୟର ପ୍ରଭାବ ହ୍ରାସ କରିବା ସହ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଏବଂ ଅନୁଷ୍ଠାନିକ କ୍ଷମତାର ବିକାଶ ଉପରେ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଥିଲେ ।

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, ଏସ୍‌ଆର୍‌ସି ରାଜେଶ ପ୍ରଭାକର ପାଟିଲଙ୍କ ସମେତ ରାଜସ୍ୱ, ନଗର ଉନ୍ନୟନ, ଜଳସମ୍ପଦ, ପୂର୍ତ୍ତ, କୃଷି, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ପାନୀୟ ଜଳ, ବାଣିଜ୍ୟ ଓ ପରିବହନ ଏବଂ ଶକ୍ତି ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial