ଅକ୍ଷର ବ୍ୟୁରୋ: ଭୀଷଣ ବାତ୍ୟା ‘ମୁରାସୁ’କୁ ନେଇ ଦକ୍ଷିଣ ଭାରତରେ ବଢ଼ିଛି ଚିନ୍ତା। ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ଏହି ବାତ୍ୟାର ପ୍ରଭାବରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଚେନ୍ନାଇ ଓ ବିଜୟୱାଡ଼ା ବିମାନବନ୍ଦରରେ ମୋଟ ୨୧ଟି ଇଣ୍ଡିଗୋ ବିମାନର ଉଡ଼ାଣ ବାତିଲ କରାଯାଇଛି। ଏଥିମଧ୍ୟରୁ ଚେନ୍ନାଇ ବିମାନବନ୍ଦରରେ ୧୧ଟି ଏବଂ ବିଜୟୱାଡ଼ାର ଗନ୍ନାଭରମ୍ ବିମାନବନ୍ଦରରେ ୧୦ଟି ବିମାନ ବାତିଲ ହୋଇଛି।
ପ୍ରତିକୂଳ ପାଗ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ ଉଡ଼ାଣ ବାତିଲ ନିଷ୍ପତ୍ତି ନିଆଯାଇଛି। ଚେନ୍ନାଇରୁ ବିଜୟୱାଡ଼ା, ରାଜମହେନ୍ଦ୍ରୀ, କଡ଼ପା ଓ ତିରୁଚିରାପଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ବିମାନ ସେବା ଏହାଦ୍ୱାରା ପ୍ରଭାବିତ ହୋଇଛି। ବିମାନ ବାତିଲ ହେବାରୁ ଯାତ୍ରୀଙ୍କ ଯାତ୍ରା ଯୋଜନାରେ ପରିବର୍ତ୍ତନ ଘଟିଛି। ବିମାନବନ୍ଦର ଅଭିମୁଖେ ବାହାରିବା ପୂର୍ବରୁ ନିଜ ବିମାନର ସ୍ଥିତି ଯାଞ୍ଚ କରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଇଣ୍ଡିଗୋ ପକ୍ଷରୁ ପ୍ରଭାବିତ ଯାତ୍ରୀଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ସୂଚନା ପଠାଯାଉଛି।
ଅନ୍ୟପଟେ, ବାତ୍ୟା ପ୍ରଭାବରେ ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପଟ୍ଟୁ ଓ ତିରୁଭାଲ୍ଲୁର ଜିଲ୍ଲାରେ ରବିବାର ରାତିରୁ ପ୍ରବଳ ବର୍ଷା ଲାଗିରହିଛି। ଚେନ୍ନାଇର କେତେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ପାଣିପାଗ ବିଭାଗ ପକ୍ଷରୁ ଚେନ୍ନାଇ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ସୋମବାର ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଭୀଷଣ ବାତ୍ୟା ‘ମୁରାସୁ’ ନଭେମ୍ବର ୨ ମଧ୍ୟରାତ୍ରିରୁ ୩ ତାରିଖ ଭୋର୍ ମଧ୍ୟରେ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ, ଓଙ୍ଗୋଲ ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ। ସେହି ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ବାତ୍ୟା ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସତର୍କତା ବଢ଼ାଯାଇଛି। ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ପ୍ରଶାସନ ଓ ପାଣିପାଗ ବିଭାଗ ବାତ୍ୟାର ଗତିବିଧି ଉପରେ ନିରନ୍ତର ନଜର ରଖିଛନ୍ତି।














Leave a Reply