କୋରାପୁଟ: କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ପୁଣି ତେଜିଲା ଛକାପଞ୍ଝା। କୋଟିଆରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଇବା ପାଇଁ ଉଦ୍ୟମକୁ ନେଇ ସୀମାନ୍ତରେ ଦେଖାଦେଇଛି ଉତ୍ତେଜନା। ଆନ୍ଧ୍ରର ଏହି ପ୍ରୟାସକୁ ରୋକିବା ପାଇଁ ଗ୍ରାଉଣ୍ଡ ଜିରୋରେ ମୁତୟନ ହୋଇଛନ୍ତି କୋରାପୁଟ ଜିଲ୍ଲା ପ୍ରଶାସନର ଅଧିକାରୀ, ପୋଲିସ ଏବଂ ବିଭିନ୍ନ ରାଜନୈତିକ ଦଳର ନେତା। ଗତକାଲି ଦିନତମାମ ଦୁଇ ରାଜ୍ୟର ପ୍ରଶାସନ ଓ ପୋଲିସ ମଧ୍ୟରେ ଛକାପଞ୍ଝା ପରେ ଶେଷରେ ପଛକୁ ହଟିଛି ଆନ୍ଧ୍ର ପ୍ରଶାସନ।
ସୂଚନା ଅନୁସାରେ, ସୀମାନ୍ତ ନେରିଡିବାଲ୍ସା ଅଞ୍ଚଳରେ ଆନ୍ଧ୍ରର ପାର୍ବତୀପୁରମ ଜିଲ୍ଲାପାଳ ଓ ପୋଲିସ ଟିମ୍ ଓଡ଼ିଶା ପ୍ରଶାସନ ସହ ମୁହାଁମୁହିଁ ହୋଇଥିଲେ। ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଓ ଯୁକ୍ତିତର୍କ ଲାଗି ରହିଥିଲା। ଶେଷରେ ଆନ୍ଧ୍ରର ଅଧିକାରୀ ଓ ପୋଲିସ ଟିମ୍ ପଛକୁ ଫେରିବାକୁ ବାଧ୍ୟ ହୋଇଥିଲେ। ଏହାପରେ କୋଟିଆର ତିନୋଟି ଗାଁରେ ବୁଥ୍ ସ୍ଥାପନ କରିବାରେ ଆନ୍ଧ୍ର ପ୍ରଶାସନ ବିଫଳ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଆନ୍ଧ୍ରର ଏହି ଉଦ୍ୟମକୁ ନଜରରେ ରଖି ଓଡ଼ିଶା ପ୍ରଶାସନ ପକ୍ଷରୁ ସାରା ରାତି କୋଟିଆରେ କଡ଼ା ନଜର ରଖାଯାଇଥିଲା।
କୋଟିଆରେ ରାତିସାରା ଡେରା ପକାଇଥିଲେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ। ଏପରିକି ଢେମସା ନୃତ୍ୟ କରି ଖୁସି ମନାଇଥିଲେ। ସେପଟେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ରାତିତମାମ ଅଞ୍ଚଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ। କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘଦିନ ଧରି ସୀମା ବିବାଦ ଲାଗି ରହିଥିବାବେଳେ ପଞ୍ଚାୟତ ନିର୍ବାଚନକୁ ନେଇ ପୁଣିଥରେ ଏହି ବିବାଦ ଉଗ୍ର ରୂପ ନେଇଛି। ଆଗକୁ ଏହି ପ୍ରସଙ୍ଗ କେଉଁ ମୋଡ଼ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।












Leave a Reply