ଗଞ୍ଜାମରେ ଆଜି ଖୋଲିବନି ସ୍କୁଲ, ୯ରୁ ଆରମ୍ଭ ହେବ ପାଠପଢ଼ା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଆଜି ଖୋଲିବନି ସ୍କୁଲ। ପୂଜା ଓ ବାତ୍ୟା ଛୁଟି ପରେ ଆଜିଠାରୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ଥିବାବେଳେ ବାତ୍ୟା ଓ ବନ୍ୟାର ପ୍ରଭାବ ଯୋଗୁଁ ଏହି ନିଷ୍ପତ୍ତିକୁ ଘୁଞ୍ଚାଇ ଦିଆଯାଇଛି। ଏବେ ଆସନ୍ତା ୯ ତାରିଖରୁ ଜିଲ୍ଲାରେ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ। ବାତ୍ୟା ଓ ବନ୍ୟାରେ ଜିଲ୍ଲାର ଶତାଧିକ ସ୍କୁଲ କ୍ଷତିଗ୍ରସ୍ତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

ସୂଚନା ଅନୁସାରେ, ବାତ୍ୟା ଓ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ମୋଟ ୫୧୧ଟି ଶିକ୍ଷାନୁଷ୍ଠାନ ପ୍ରଭାବିତ ହୋଇଛି। ଅନେକ ସ୍କୁଲ ଜଳମଗ୍ନ ହେବା ସହ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେଉଁଠି ସ୍କୁଲର କାନ୍ଥ ଭାଙ୍ଗିଛି ତ ଆଉ କେଉଁଠି ଶ୍ରେଣୀଗୃହ କ୍ଷତିଗ୍ରସ୍ତ ହୋଇଛି। ସେହିପରି କେତେକ ସ୍କୁଲରେ କମ୍ପ୍ୟୁଟର ନଷ୍ଟ ହୋଇଥିବାବେଳେ ଅନେକ ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ ରେକର୍ଡପତ୍ର ମଧ୍ୟ ପାଣିରେ ଭାସିଯାଇଛି।

ପ୍ରାଥମିକ ଆକଳନ ଅନୁଯାୟୀ, ଏହି କ୍ଷୟକ୍ଷତିର ପରିମାଣ ପ୍ରାୟ ୧୪ କୋଟି ଟଙ୍କା ହେବ। ତେବେ ଏବେ ସୁଦ୍ଧା ୩୮୨ଟି ବିଦ୍ୟାଳୟର ମରାମତି କାର୍ଯ୍ୟ ଶେଷ ହୋଇଛି। ଅନ୍ୟପଟେ ଆହୁରି ୧୨୯ଟି ସ୍କୁଲର ମରାମତି କାମ ବାକି ରହିଛି। ଅନେକ ଶିକ୍ଷାନୁଷ୍ଠାନରେ ଏବେ ବି ମରାମତି କାର୍ଯ୍ୟ ଚାଲିଥିବାରୁ ତରବରିଆ ଭାବେ ସ୍କୁଲ ଖୋଲିବାକୁ ଚାହୁଁନାହିଁ ପ୍ରଶାସନ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଆସନ୍ତା ୯ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଛୁଟି ପରେ ସ୍କୁଲ ଫେରିବାକୁ ଅପେକ୍ଷା କରିଥିବା ଗଞ୍ଜାମ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial