ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଡ଼ ଅଘଟଣ । ଚାୱଡ଼ି ବଜାର ଅଞ୍ଚଳରେ ଭୁଶୁଡ଼ି ପଡ଼ିଲା ଏକ ନିର୍ମାଣାଧୀନ ତିନି ମହଲା କୋଠା । ଏହି ଦୁର୍ଘଟଣାରେ ଅନେକ ଲୋକ ଭଙ୍ଗା କୋଠାର ଧ୍ୱଂସାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ଅଗ୍ନିଶମ ବିଭାଗର ୬ଟି ଗାଡ଼ି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ।
ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୯ଟା ୫୦ ମିନିଟ୍ରେ ଗଳି ସତ୍ତାରା, ଶୀଶ ମହଲ ଅଞ୍ଚଳରେ ଥିବା ମେଟ୍ରୋ ଷ୍ଟେସନ ସମ୍ମୁଖରେ ଏହି କୋଠା ଭୁଶୁଡ଼ି ପଡ଼ିଥିବା ନେଇ ସୂଚନା ମିଳିଥିଲା । କୋଠାରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ସକାଳ ପ୍ରାୟ ୧୦ଟା ସମୟରେ ହଠାତ୍ ଏହା ଭୁଶୁଡ଼ି ପଡ଼ିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହାପରେ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ଭଙ୍ଗା କୋଠାର ମାଟି ଓ ଆବର୍ଜନା ତଳେ ଫସିଥିବା ଲୋକଙ୍କୁ ଖୋଜିବା ସହ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି ।
ତେବେ ଦୁର୍ଘଟଣା ସମୟରେ କୋଠା ଭିତରେ କେତେ ଜଣ ଉପସ୍ଥିତ ଥିଲେ ଏବଂ ପ୍ରକୃତରେ କେତେ ଜଣ ଫସିଛନ୍ତି, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ଘଟଣାସ୍ଥଳର ରାସ୍ତା ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବାରୁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ତଥାପି ଫସିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ଉଦ୍ୟମ ଜାରି ରହିଛି ।
ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୬ ତାରିଖରେ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ମଧ୍ୟ ଏକ ବଡ଼ କୋଠା ଭୁଶୁଡ଼ି ପଡ଼ିଥିଲା । ପାଞ୍ଚ ମହଲା ବିଶିଷ୍ଟ ଏହି କୋଠାରେ ଏକ ପିଜି ଚାଲୁଥିବା ବେଳେ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଦିଲ୍ଲୀରେ ବିପଦପୂର୍ଣ୍ଣ କୋଠାଗୁଡ଼ିକୁ ଚିହ୍ନଟ କରିବା ପାଇଁ ପ୍ରଶାସନ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା । ଏବେ ପୁଣି ଚାୱଡ଼ି ବଜାରରେ ନିର୍ମାଣାଧୀନ କୋଠା ଭୁଶୁଡ଼ିବା ଘଟଣା ଦିଲ୍ଲୀରେ କୋଠା ନିର୍ମାଣର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି ।















Leave a Reply