ଦୀପାବଳି ପୂର୍ବରୁ ଦେଶରେ ପ୍ରଦୂଷଣ ବିସ୍ଫୋରଣ! ମେରଟ୍‌ରେ AQI ୯୮୭, ଦିଲ୍ଲୀ ବି ଧୂଆଁବଳୟରେ

ନୂଆଦିଲ୍ଲୀ: ଦୀପାବଳି ଆସିବା ପୂର୍ବରୁ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ନଡ଼ା ଜଳାଇବା ଓ ବାଣ ଫୁଟାଇବା ଯୋଗୁଁ ବାୟୁମଣ୍ଡଳରେ ଧୂଆଁର ମାତ୍ରା ବଢ଼ୁଥିବା ବେଳେ ଏହାର ପ୍ରଭାବ ବାୟୁର ଗୁଣବତ୍ତା ଉପରେ ପଡ଼ିଛି। ଗୁରୁବାର ଉତ୍ତରପ୍ରଦେଶର ମେରଟ୍‌ ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ଭାବେ ରେକର୍ଡ ହୋଇଛି। ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୯୮୭ରେ ପହଞ୍ଚିଛି। ଏହା ସହ ଉତ୍ତରପ୍ରଦେଶ ଓ ହରିୟାଣାର ଅନେକ ସହର ପ୍ରଦୂଷଣ ତାଲିକାର ଶୀର୍ଷରେ ରହିଛି।

ଗୁରୁବାର ରେକର୍ଡ ହୋଇଥିବା ତଥ୍ୟ ଅନୁସାରେ, ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ତାଲିକାରେ ମେରଟ୍‌ ପ୍ରଥମ ସ୍ଥାନରେ ଥିବାବେଳେ ଉତ୍ତରପ୍ରଦେଶର ହାପୁଡ଼ ୮୭୭ AQI ସହ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ହରିୟାଣାର ପାଣିପତ ୮୪୨ ସହ ତୃତୀୟ, ମୁଜାଫରନଗର ୭୮୬ ସହ ଚତୁର୍ଥ ଏବଂ ସୋନିପତ ୭୮୧ AQI ସହ ପଞ୍ଚମ ସ୍ଥାନରେ ରହିଛି।

ଦେଶର ୧୦ ସର୍ବାଧିକ ପ୍ରଦୂଷିତ ସହର
ସହର AQI
ମେରଟ୍‌ ୯୮୭
ହାପୁଡ଼ ୮୭୭
ପାଣିପତ ୮୪୨
ମୁଜାଫରନଗର ୭୮୬
ସୋନିପତ ୭୮୧
ରୋହତକ ୭୪୦
କୈଥଲ ୭୦୨
ଗାଜିଆବାଦ ୭୦୦
କରନାଲ ୬୯୯
ଫରିଦାବାଦ ୬୬୩

ଅନ୍ୟପଟେ ଦେଶର ରାଜଧାନୀ ଦିଲ୍ଲୀ ଓ ନୋଏଡାରେ ମଧ୍ୟ ପ୍ରଦୂଷଣ ସ୍ଥିତି ଗମ୍ଭୀର ରହିଛି। ଗୁରୁବାର ଦିଲ୍ଲୀର AQI ୫୫୪ ରେକର୍ଡ ହୋଇଥିବା ବେଳେ ନୋଏଡାରେ ଏହା ୬୩୭ ରହିଛି। ଏହି ପ୍ରଦୂଷଣ ଯୋଗୁଁ ଲୋକମାନେ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ଅସୁବିଧାର ସାମ୍ନା କରୁଛନ୍ତି। ଦୀପାବଳି ପାଖେଇ ଆସୁଥିବାରୁ ଆଗକୁ ପ୍ରଦୂଷଣ ସ୍ଥିତି ଆହୁରି ଖରାପ ହେବା ଆଶଙ୍କାକୁ ନେଇ ଚିନ୍ତା ବଢ଼ିଛି। ନଡ଼ା ଜଳାଇବା ଓ ବାଣ ଫୁଟାଇବା ଭଳି କାରଣ ସହିତ ପାଣିପାଗର ସ୍ଥିତି ମଧ୍ୟ ବାୟୁର ଗୁଣବତ୍ତାକୁ ପ୍ରଭାବିତ କରିପାରେ। ତେଣୁ ଆଗାମୀ ଦିନରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏକ ବଡ଼ ଆହ୍ୱାନ ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial