ଭୁବନେଶ୍ୱର: ରାଜଧାନୀରେ ପୁଣି ଗୁଳିକାଣ୍ଡ। ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିମାଡ଼ରେ ଚାଲିଗଲା ଜଣଙ୍କ ଜୀବନ। ମୃତକ ହେଉଛନ୍ତି ଶିଶୁପାଳଗଡ଼ ଅଞ୍ଚଳର ଜେସିବି ମେସିନ୍ ଠିକା କଣ୍ଟ୍ରାକ୍ଟର ତପନ ନାୟକ। ଧଉଳି ଥାନା ଅନ୍ତର୍ଗତ ବଡ଼ଟାଙ୍କି ଶିଶୁପାଳଗଡ଼ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁସାରେ, କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହେବା ପରେ ଗୁଳିମାଡ଼ ହୋଇଥିଲା। ଟଙ୍କା କାରବାରକୁ କେନ୍ଦ୍ର କରି ଏହି ବିବାଦ ଉପୁଜିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ଏକାଠି ବସି ମଦ୍ୟପାନ କରୁଥିବା ସମୟରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି।
ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ତପନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁଳିମାଡ଼ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ଧଉଳି ଥାନାରେ ଆଉ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ଗୁଳିକାଣ୍ଡ ପଛର ପ୍ରକୃତ କାରଣ ଏବଂ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।














Leave a Reply