ଭୁବନେଶ୍ୱର: ଓଡ଼ିଶାକୁ ବଢ଼ୁଛି ବାତ୍ୟା ବିପଦ । ବଙ୍ଗୋପସାଗରରେ ସକ୍ରିୟ ଭୀଷଣ ବାତ୍ୟା ‘ଆକଭାନ୍’କୁ ନେଇ ବଢ଼ିଛି ଚିନ୍ତା । ଆସନ୍ତା ୨୦ ନଭେମ୍ବରରେ ବାତ୍ୟାର ବଡ଼ ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି । ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ଓ ବିଶାଖାପାଟଣାରେ ମୋଟ ୧୧ଟି NDRF ଟିମ୍ ମୁତୟନ କରାଯାଇଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ‘ଆକଭାନ୍’ କ୍ରମଶଃ ଶକ୍ତିଶାଳୀ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି । ଏହା ଆନ୍ଧ୍ରପ୍ରଦେଶ ଓ ୟାନମ ଉପକୂଳର ନେଲ୍ଲୋର ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିପାରେ । ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି । ବାତ୍ୟାର ଗତି ଅତ୍ୟନ୍ତ ଧୀର ରହିଥିବାରୁ ଏହାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି । ପୂର୍ବ ବୁଲେଟିନ୍ ଅନୁସାରେ ବାତ୍ୟା ଘଣ୍ଟାପ୍ରତି ମାତ୍ର ୩ କିଲୋମିଟର ବେଗରେ ଆଗକୁ ବଢ଼ୁଥିଲା ।
ବାତ୍ୟାର ପ୍ରଭାବରେ ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଲାଗି ରହିପାରେ । ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ସମେତ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି । ଏହାସହ ଦୁର୍ବଳ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇପାରେ । ଅନ୍ୟପଟେ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗର ପରବର୍ତ୍ତୀ ବୁଲେଟିନ୍ ଉପରେ ନଜର ରଖିବାକୁ କୁହାଯାଇଛି ।
ଏପଟେ ବାତ୍ୟାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି NDRF । ଓଡ଼ିଶାରେ ୮ଟି ଏବଂ ବିଶାଖାପାଟଣାରେ ୩ଟି ଟିମ୍ ମୁତୟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଗତକାଲି ଓଡ଼ିଶାରେ ୫ଟି NDRF ଟିମ୍ ନିୟୋଜିତ ହୋଇଥିଲେ । ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗୋଟିଏ ଲେଖାଏଁ ଟିମ୍ ମୁତୟନ କରାଯାଇଥିଲା । ଏହାପରେ ଆଜି ଆଉ ୩ଟି ଟିମ୍ ନିୟୋଜିତ କରାଯାଇଛି । ଗଞ୍ଜାମରେ ଅତିରିକ୍ତ ୨ଟି ଏବଂ ଗଜପତିରେ ଗୋଟିଏ ଟିମ୍ ମୁତୟନ ହୋଇଛନ୍ତି । ଏହିପରି ଓଡ଼ିଶାରେ ମୋଟ ୮ଟି ଉଦ୍ଧାରକାରୀ ଦଳ ପ୍ରସ୍ତୁତ ରହିଛନ୍ତି । ସେହିପରି ବାତ୍ୟାଜନିତ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ବିଶାଖାପାଟଣାରେ ମଧ୍ୟ ୩ଟି ଟିମ୍ ମୁତୟନ କରାଯାଇଛି ।
ଅବଶିଷ୍ଟ ଉଦ୍ଧାରକାରୀ ଦଳଗୁଡ଼ିକୁ ମଧ୍ୟ ସମ୍ପୂର୍ଣ୍ଣ ଆଲର୍ଟରେ ରଖାଯାଇଛି । ବାତ୍ୟାର ଗତିପଥ ଓ ତୀବ୍ରତା ଅନୁସାରେ ଓଡ଼ିଶାରେ ବର୍ଷା ଓ ପବନର ପ୍ରଭାବ ବଦଳିପାରେ । ତେବେ ଉପଲବ୍ଧ ପୂର୍ବାନୁମାନ ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳରେ ସିଧାସଳଖ ସ୍ଥଳଭାଗ ଅତିକ୍ରମ କରିବାର ଆକଳନ ନାହିଁ । ତଥାପି ସମ୍ଭାବ୍ୟ ପ୍ରଭାବକୁ ନେଇ ଦକ୍ଷିଣ ଓଡ଼ିଶାରେ ଆଗୁଆ ସତର୍କତା ଓ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଜାରି ରହିଛି ।












Leave a Reply