ଧନୁଯାତ୍ରାକୁ ଆସିଥିବା ହାତୀ ନେଲା ମାହୁନ୍ତଙ୍କ ଜୀବନ

ବଲାଙ୍ଗୀର: ଉତ୍ସବର ମାହୋଲ ଭିତରେ ଅଭାବନୀୟ ଅଘଟଣ। ଧନୁଯାତ୍ରା ମହୋତ୍ସବରେ ସାମିଲ ହେବାକୁ ଆସିଥିବା ହାତୀର ଆକ୍ରମଣରେ ଚାଲିଗଲା ମାହୁନ୍ତଙ୍କ ଜୀବନ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗାଁରେ ଚାଲିଥିବା ୪୦ତମ ଧନୁଯାତ୍ରା ମହୋତ୍ସବରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତ ମାହୁନ୍ତ ହେଉଛନ୍ତି ଉତ୍ତରପ୍ରଦେଶ ଆହ୍ଲାବାଦ ଅଞ୍ଚଳର କଳ୍ପନା ଦୁବେ। ଏହି ଘଟଣା ପରେ ସମଗ୍ର ଧନୁଯାତ୍ରା ମହୋତ୍ସବରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ବଙ୍ଗୋମୁଣ୍ଡାରେ ଆୟୋଜିତ ଧନୁଯାତ୍ରାରେ ମହାରାଜ କଂସ ହାତୀ ପିଠିରେ ବସି ନଗର ପରିକ୍ରମା କରିବା ସହ ଯାତ୍ରା ମଞ୍ଚକୁ ଆସିଥାନ୍ତି। ଏଥିପାଇଁ ହାତୀ ସହ ଉତ୍ତରପ୍ରଦେଶର ଆହ୍ଲାବାଦରୁ ମାହୁନ୍ତ କଳ୍ପନା ଦୁବେ ଆସିଥିଲେ। ତେବେ ହଠାତ୍ ସେହି ହାତୀ ତାଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ଘଟଣା ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବଙ୍ଗୋମୁଣ୍ଡା ଡାକ୍ତରଖାନା ଓ ପରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧନୁଯାତ୍ରା ମହୋତ୍ସବରେ ସାମିଲ ହେବାକୁ ଆସିଥିବା ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଅନ୍ୟପଟେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ବନ ବିଭାଗ ଓ ବଙ୍ଗୋମୁଣ୍ଡା ପୁଲିସ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial