ଅକ୍ଷର ବ୍ୟୁରୋ: ରାଜ୍ୟର ତିନିଟି ଜିଲ୍ଲାରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୪ ଜଣଙ୍କ ଜୀବନ। ଅନୁଗୋଳ, ମୟୂରଭଞ୍ଜ ଓ କୋରାପୁଟରେ ଘଟିଥିବା ଏହି ଦୁର୍ଘଟଣାରେ ଅନ୍ୟ ୮ ଜଣ ଗୁରୁତର ଆହତ ହୋଇଛନ୍ତି। କେଉଁଠି ପୂଜା ଦେଖି ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଛି ତ ଆଉ କେଉଁଠି ଘନ କୁହୁଡ଼ି ଯୋଗୁଁ ଦୁଇ ବାଇକ୍ ମଧ୍ୟରେ ଧକ୍କା ହୋଇଛି। ଏହି ଘଟଣାଗୁଡ଼ିକ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।
ଅନୁଗୋଳ ଜିଲ୍ଲା ମହିଧରପୁର-ସେରେଣାବେଡ଼ା ରାସ୍ତାରେ ପ୍ରଥମ ଅଘଟଣ ଘଟିଛି। ମହିଧରପୁରରେ କାର୍ତ୍ତିକେଶ୍ୱର ପୂଜା ଦେଖି ଦୁଇ ଜଣ ଯୁବତୀ ଚାଲି ଚାଲି ଘରକୁ ଫେରୁଥିବା ବେଳେ ପଛପଟୁ ଆସି ଦୁଇ ଜଣ ବାଇକ୍ ଆରୋହୀ ସେମାନଙ୍କୁ ଧକ୍କା ଦେଇଥିଲେ। ଉଭୟ ଆରୋହୀ ମଦ୍ୟପ ଥିବା ଅଭିଯୋଗ ହୋଇଛି। ଏଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବତୀ ଅନୁଗୋଳ ଉପକଣ୍ଠ ନୂଆସାହି ଗାଁର ବୋଲି ଜଣାପଡ଼ିଛି।
ସେହିପରି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ପାଣ୍ଠ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଉଭୟ ବାଇକ୍ର ଦୁଇ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ। ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଲୋକେ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡ଼ିଛି।
ଅନ୍ୟପଟେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଗୁନେଇପଡ଼ା ଗାଁ ନିକଟରେ ଘନ କୁହୁଡ଼ି ଯୋଗୁଁ ଦୁଇଟି ବାଇକ୍ ମଧ୍ୟରେ ଧକ୍କା ହୋଇଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। କୁହୁଡ଼ି ଯୋଗୁଁ ରାସ୍ତା ଠିକ୍ ଭାବେ ଦେଖାଯାଉନଥିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, ଆଦିବାସୀଙ୍କ ପାରମ୍ପରିକ ପରବ ଓ ପୋଢ଼ମରା ଯାତ୍ରା ଦେଖିବାକୁ ସମସ୍ତେ ଆସିଥିଲେ। ଦୁର୍ଘଟଣାରେ ଆହତମାନଙ୍କୁ ପ୍ରଥମେ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଗୁରୁତର ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।












Leave a Reply