ସୁନ୍ଦରଗଡ଼: ଝିଅ ବାହାଘର ପାଇଁ ଦେଖିଥିଲେ ଅନେକ ସ୍ୱପ୍ନ । ଝିଅର ହାତକୁ ଦୁଇ ହାତ କରିବା ପାଇଁ ସଞ୍ଚୟ କରି ରଖିଥିଲେ ସୁନାଗହଣା ଓ ନଗଦ ଟଙ୍କା । ହେଲେ ସବୁ ସ୍ୱପ୍ନରେ ପାଣି ଫେରାଇଦେଲେ ଚୋର । ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ୭ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ଘଟିଛି ଏଭଳି ଏକ ବଡ଼ ଧରଣର ଚୋରି । ଏହି ଘଟଣା ପରେ ପରିବାରର ଖୁସିରେ ଲାଗିଛି ଗ୍ରହଣ ।
ସୂଚନା ଅନୁସାରେ, ଝିଅର ବାହାଘର ପାଇଁ ପୁଅ ଦେଖିବାକୁ ପରିବାରର ସଦସ୍ୟମାନେ ଘରୁ ବାହାରକୁ ଯାଇଥିଲେ । ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ ଘରେ ପଶିଥିଲେ । ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଭିତରେ ଥିବା ସମସ୍ତ କୋଠରିର ତାଲା ଭାଙ୍ଗିବା ସହ ଦୁଇଟି ଆଲମିରା ତାଡ଼ି ଲକରରେ ରଖାଯାଇଥିବା ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲେ ।
ଆଜି ସକାଳେ ପରିବାର ଲୋକେ ନାଇଟ୍ କୋଚ୍ ବସ୍ରେ ଘରକୁ ଫେରିଥିଲେ । ବାହାରୁ ଘରର ମୁଖ୍ୟ ଫାଟକରେ ତାଲା ପଡ଼ିଥିବା ଦେଖି ସେମାନେ ପ୍ରଥମେ କିଛି ସନ୍ଦେହ କରିନଥିଲେ । କିନ୍ତୁ ଘର ଭିତରକୁ ପଶିବା ପରେ ସବୁ କୋଠରିର ତାଲା ଭଙ୍ଗା ଥିବା ଏବଂ ଆଲମିରା ତାଡ଼ି ଲକରରୁ ସୁନାଗହଣା ଓ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଥିଲା । ଝିଅ ବାହାଘର ପାଇଁ କଷ୍ଟରେ ସଞ୍ଚୟ କରି ରଖିଥିବା ୭ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ହରାଇ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ କୋଇଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଏ ଏହି ଚୋରି ପଛରେ ଅଛି ଏବଂ ଲୁଟ୍ ହୋଇଥିବା ସୁନାଗହଣା ଓ ଟଙ୍କା କେଉଁଠି ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଝିଅ ବାହାଘର ପାଇଁ ସାଇତି ରଖିଥିବା ସମସ୍ତ ସଞ୍ଚୟ ଲୁଟ୍ ହୋଇଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।













Leave a Reply