କଟକ: କଟକରେ ଭୟାବହ ଅଗ୍ନିକାଣ୍ଡ । ଅରୁଣୋଦୟ ନଗର ନିକଟରେ ରାସ୍ତାକଡ଼ରେ ପାର୍କିଂ ହୋଇଥିବା ବସ୍ଗୁଡ଼ିକରେ ହଠାତ୍ ନିଆଁ ଲାଗି ଜଳିଗଲା ୮ଟି ବସ୍ । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ ବସ୍ଗୁଡ଼ିକ ଅଗ୍ନିକାଣ୍ଡର କବଳକୁ ଆସିଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ ସୌଭାଗ୍ୟବଶତଃ ବସ୍ଗୁଡ଼ିକ ଭିତରେ କୌଣସି ଯାତ୍ରୀ କିମ୍ବା କର୍ମଚାରୀ ନଥିଲେ । ଫଳରେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି ।
ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଅଗ୍ନିଶମ ବିଭାଗର ୩ଟି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା । ଅଗ୍ନିଶମ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ନିକଟରେ ଥିବା ଅନ୍ୟ ଗାଡ଼ି ଓ ଘରଗୁଡ଼ିକ ଏକ ବଡ଼ ବିପଦରୁ ରକ୍ଷା ପାଇଛି । ତେବେ ରାସ୍ତାକଡ଼ରେ ପାର୍କିଂ ହୋଇଥିବା ବସ୍ଗୁଡ଼ିକରେ କିପରି ନିଆଁ ଲାଗିଲା, ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।













Leave a Reply