ରିୟାଦ: ମଧ୍ୟପ୍ରାଚ୍ୟରେ ପୁଣି ଥରେ ବଢ଼ିଲା ଉତ୍ତେଜନା। ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦର କିଙ୍ଗ୍ ଅବଦୁଲ୍ଲା ଫାଇନାନ୍ସିଆଲ୍ ଜିଲ୍ଲାରେ ଥିବା ଏକ ବାଣିଜ୍ୟିକ କୋଠାକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଜଣ ଭାରତୀୟ ଓ ତିନି ଜଣ ନେପାଳୀ ନାଗରିକଙ୍କ ସମେତ ମୋଟ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଚାରି ଜଣ ମିଶରୀୟ ଏବଂ ଦୁଇ ଜଣ ସାଉଦି ନାଗରିକ ମଧ୍ୟ ରହିଛନ୍ତି। ସାଉଦି ଆରବର ନାଗରିକ ପ୍ରତିରକ୍ଷା ବିଭାଗ ଏହି ଆକ୍ରମଣକୁ ନିଶ୍ଚିତ କରିବା ସହ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଛି। ବିଭାଗର ସୂଚନା ଅନୁଯାୟୀ, ରିୟାଦର ପ୍ରମୁଖ ଆର୍ଥିକ ଓ ବାଣିଜ୍ୟିକ କେନ୍ଦ୍ର କିଙ୍ଗ୍ ଅବଦୁଲ୍ଲା ଫାଇନାନ୍ସିଆଲ୍ ଜିଲ୍ଲାର ଏକ ବାଣିଜ୍ୟିକ କୋଠା ଏହି ଆକ୍ରମଣର ଲକ୍ଷ୍ୟ ହୋଇଥିଲା।
ଅନ୍ୟପଟେ, ଆକ୍ରମଣରେ ଦୁଇ ଜଣ ଭାରତୀୟ ନାଗରିକ ଆହତ ହୋଇଥିବା ଖବର ପରେ ସାଉଦି ଆରବରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ଦୂତାବାସ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ବିବୃତି ଜାରି କରି ଦୁଇ ଭାରତୀୟ ଆହତ ହୋଇଥିବା ସମ୍ପର୍କରେ ସୂଚନା ମିଳିଥିବା କହିଛି। ଏଥିସହ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଜଣାଇଛି।
ଆହତ ଭାରତୀୟ ନାଗରିକ ଓ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଦୂତାବାସ ଆଶ୍ୱାସନା ଦେଇଛି। ଏଥିସହ ସାଉଦି ଆରବରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବା ସହ ସ୍ଥାନୀୟ ନିୟମ ଓ ଆଇନକୁ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛି। ଏହା ସହିତ ହୁତି ବିଦ୍ରୋହୀମାନେ ୟେମେନରେ ସାଉଦି ଆରବର ଏକ ସାମରିକ ଡ୍ରୋନ୍ ‘ୱିଙ୍ଗ ଲୁଙ୍ଗ-୨’କୁ ଗୁଳି କରି ଖସାଇ ଦେଇଥିବା ଦାବି କରିଛନ୍ତି। ଏହି ଦାବି ଓ ରିୟାଦରେ ହୋଇଥିବା ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଆଞ୍ଚଳିକ ଉତ୍ତେଜନା ଆହୁରି ବଢ଼ିବା ଆଶଙ୍କା ପ୍ରକାଶ ପାଇଛି।
















Leave a Reply