ଘରେ ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍, ଛତ୍ରପୁରର ୨ ଅଭିଯୁକ୍ତ ଗିରଫ

ଅକ୍ଷର ବ୍ୟୁରୋ: ଘରେ ତାଲା ଭାଙ୍ଗି ସୁନା ଅଳଙ୍କାର ଓ ଟଙ୍କା ଲୁଟ୍ ଘଟଣାରେ ୨ ଅଭିଯୁକ୍ତ ଗିରଫ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧୀନ ପୁରୁଣା ଛତ୍ରପୁର ଗ୍ରାମରେ ଘଟିଥିବା ଚୋରି ଘଟଣାରେ ପୁଲିସ ତଦନ୍ତ କରି ସେହି ଗ୍ରାମର ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କାହ୍ନା ଓରଫ୍ କେଶବ ବେହେରା ଏବଂ ବାଲି ଓରଫ୍ ଜି. ଚନ୍ଦନ ରାଓ । ସେମାନଙ୍କ ନିକଟରୁ ଗୋଟିଏ ମଙ୍ଗଳସୂତ୍ର, ଏକ ହଳ କାନଫୁଲ, ୫ ହଜାର ଟଙ୍କା ଓ ଗୋଟିଏ ସୁଜୁକି ମୋଟରସାଇକେଲ ଜବତ କରିଛି ପୁଲିସ । ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସୂଚନା ଅନୁସାରେ, ଗତ ୨୦ ଓ ୨୧ ତାରିଖ ମଧ୍ୟରାତ୍ରିରେ ପୁରୁଣା ଛତ୍ରପୁର ଗ୍ରାମର ବିନତି ବେହେରା (୪୬) ଘରେ ତାଲା ପକାଇ କୌଣସି କାମରେ ଛତ୍ରପୁର ବାହାରକୁ ଯାଇଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଘର କବାଟର ତାଲା ଭାଙ୍ଗି ଘରେ ଥିବା ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ । ଘରକୁ ଫେରି ଚୋରି ହୋଇଥିବା ଜାଣିବା ପରେ ବିନତି ଗତ ୨୩ ତାରିଖରେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ଛତ୍ରପୁର ଥାନାରେ ୫୮୬/୨୬ ନମ୍ବର ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଚୋରି ଘଟଣାରେ ସେହି ଗ୍ରାମର ଦୁଇ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା । ସେମାନଙ୍କଠାରୁ ୫ ହଜାର ଟଙ୍କା ଓ ଗୋଟିଏ ସୁଜୁକି ମୋଟରସାଇକେଲ ଜବତ କରାଯାଇଥିଲା । ଚୋରି ହୋଇଥିବା ସୁନା ମଙ୍ଗଳସୂତ୍ର ଓ କାନଫୁଲକୁ ଅଭିଯୁକ୍ତମାନେ ବ୍ରହ୍ମପୁରସ୍ଥିତ ମଣିପୁରମ୍ ଗୋଲ୍ଡରେ ବନ୍ଧକ ରଖିଥିବା ଜଣାପଡ଼ିବା ପରେ ସେଠାରୁ ମଧ୍ୟ ସୁନା ଅଳଙ୍କାର ଜବତ କରିଛି ପୁଲିସ । ଅଭିଯୁକ୍ତମାନଙ୍କ ବିରୋଧରେ ପୂର୍ବରୁ ଏଭଳି ଅନ୍ୟ ମାମଲା ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial