ଓଡ଼ିଶାରେ ଖୋଲିବ ଆଉ ୨ ହୋମିଓପାଥି କଲେଜ, ନୟାଗଡ଼ ଓ ନୂଆପଡ଼ାରେ ପ୍ରତିଷ୍ଠା ଯୋଜନା

ଅକ୍ଷର ବ୍ୟୁରୋ: ରାଜ୍ୟରେ ହୋମିଓପାଥି ଚିକିତ୍ସା ଓ ଆୟୁଷ ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଓଡ଼ିଶାରେ ଥିବା ୪ଟି ସରକାରୀ ହୋମିଓପାଥି କଲେଜ ସହ ନୟାଗଡ଼ ଓ ନୂଆପଡ଼ାରେ ଆଉ ୨ଟି ନୂଆ ହୋମିଓପାଥି କଲେଜ ପ୍ରତିଷ୍ଠା କରିବାକୁ ଯୋଜନା ରହିଛି । ଏଥିସହ ଆୟୁଷ ଡାକ୍ତରମାନଙ୍କ ବେତନ ଢାଞ୍ଚାରେ ପରିବର୍ତ୍ତନ ଓ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଛି । ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ସହ ହୋମିଓପାଥି ଚିକିତ୍ସାରେ କ୍ଲିନିକାଲ ଅଧ୍ୟୟନ ଓ ବୈଜ୍ଞାନିକ ଗବେଷଣାକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି । ଅଭିନ୍ନ ଚନ୍ଦ୍ର ହୋମିଓପାଥି ମହାବିଦ୍ୟାଳୟ ପରିସରରେ ଆୟୋଜିତ ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଚିକିତ୍ସା ଓ ରୋଗୀ ସେବାକୁ ତୃଣମୂଳସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ୨୦୧୪ ନଭେମ୍ବର ୯ରେ ଆୟୁଷ ମନ୍ତ୍ରାଳୟ ଘୋଷଣା କରି ଆୟୁର୍ବେଦ, ହୋମିଓପାଥି ଓ ଅନ୍ୟ ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଗୁରୁତ୍ୱ ଦେଇଥିଲେ ପ୍ରଧାନମନ୍ତ୍ରୀ । ସେହି ଦିଗରେ ରାଜ୍ୟ ସରକାର ମଧ୍ୟ ଆୟୁଷ ଚିକିତ୍ସାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି ।

ଓଡ଼ିଶାର ଅଭିନ୍ନ ଚନ୍ଦ୍ର ହୋମିଓପାଥି ମହାବିଦ୍ୟାଳୟ ଆଜି ଦେଶର ଏକ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହେଉଛି । ଏହି ଅନୁଷ୍ଠାନର ଅଭାବ ଓ ଅସୁବିଧାଗୁଡ଼ିକ ପୂରଣ କରିବା ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହୋମିଓପାଥି ଚିକିତ୍ସା କ୍ଷେତ୍ରରେ ଗବେଷଣା ଓ ଅଧ୍ୟୟନକୁ ଆଗକୁ ବଢ଼ାଇବା ସହ ଚିକିତ୍ସା ସେବାର ଗୁଣବତ୍ତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

ଏଥିସହ ରାଜ୍ୟରେ ମେଡିକାଲ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ଯୋଜନା ରହିଛି । ନବରଙ୍ଗପୁରରେ ନୂତନ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ହୋଇସାରିଥିବା ବେଳେ ଖୁବ୍‌ଶୀଘ୍ର ଭଦ୍ରକ, ଢେଙ୍କାନାଳ ଓ ଜଗତସିଂହପୁରରେ ନୂଆ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଏହି ଜାତୀୟ ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥିମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial