ଅକ୍ଷର ବ୍ୟୁରୋ: ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳ ଆଜି ରଣକ୍ଷେତ୍ରର ରୂପ ନେଇଛି। ଓଲା, ଉବେର ଓ ରାପିଡୋ ଭଳି ଅନଲାଇନ୍ ଯାତାୟାତ ସେବା ସହ ଜଡ଼ିତ ଡ୍ରାଇଭର ଓ କର୍ମଚାରୀମାନେ ୭ ଦଫା ଦାବିରେ ଆନ୍ଦୋଳନ କରୁଥିବାବେଳେ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ପରିସ୍ଥିତି ତିବ୍ର ହେବାରୁ ପୁଲିସ ଲାଠିଚାର୍ଜ କରିଥିବା ଜଣାପଡ଼ିଛି।
ଡ୍ରାଇଭରମାନେ ନିଜ ଅଟୋ ଓ କାର୍କୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଥିବାରୁ ମାଷ୍ଟରକ୍ୟାଣ୍ଟିନରୁ ବିମାନବନ୍ଦର ଦିଗକୁ ଯାଉଥିବା ରାସ୍ତାରେ ଭୟଙ୍କର ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି। ରେଲୱେ ଷ୍ଟେସନ ଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ଯାତାୟାତ ବ୍ୟବସ୍ଥା ବେଶ୍ ପ୍ରଭାବିତ ହୋଇଛି। ଓଲା, ଉବେର ଓ ରାପିଡୋ ଭଳି ଅନଲାଇନ୍ ସେବା ଯୋଗାଉଥିବା ଡ୍ରାଇଭର ଓ କର୍ମଚାରୀମାନେ ୭ ଦଫା ଦାବି ନେଇ ଆଜିକୁ ତିନି ଦିନ ହେଲା ସେବା ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି। ଆନ୍ଦୋଳନକାରୀମାନେ ନିଜ ଗାଡ଼ିଗୁଡ଼ିକୁ ରାସ୍ତାରେ ଛିଡ଼ା କରି ପ୍ରତିବାଦ କରୁଥିବାବେଳେ ଆଜି ଏହା ଆହୁରି ତୀବ୍ର ରୂପ ନେଇଛି।
ଡ୍ରାଇଭରମାନଙ୍କ କହିବା ଅନୁଯାୟୀ, ଗତ ତିନି ଦିନ ଧରି ଆନ୍ଦୋଳନ ଚାଲିଥିଲେ ମଧ୍ୟ ସେମାନଙ୍କ ଦାବି ଉପରେ ସରକାର କିମ୍ବା ସମ୍ପୃକ୍ତ କମ୍ପାନୀମାନଙ୍କ ପକ୍ଷରୁ ପ୍ରଭାବୀ ପଦକ୍ଷେପ ନିଆଯାଇନାହିଁ। ତେଣୁ ଆଜି ରାସ୍ତାରୋକକୁ ତୀବ୍ର କରାଯାଇଛି। ଆନ୍ଦୋଳନ ଯୋଗୁଁ କଟକ ଓ ଭୁବନେଶ୍ୱରରେ ଓଲା-ଉବେର ସେବା ପ୍ରଭାବିତ/ବନ୍ଦ ରହିଛି। ଅନଲାଇନ୍ କ୍ୟାବ୍ ଓ ଅଟୋ ମିଳୁନଥିବାରୁ ସାଧାରଣ ଯାତ୍ରୀମାନେ ମଧ୍ୟ ସମସ୍ୟାରେ ପଡ଼ିଛନ୍ତି। ବିଶେଷକରି ରେଲୱେ ଷ୍ଟେସନ, ବସ୍ଷ୍ଟାଣ୍ଡ ଓ ବିମାନବନ୍ଦର ଆଡ଼କୁ ଯାତାୟାତ କରୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ରାସ୍ତା ଉପରେ ଗାଡ଼ି ରଖି ଆନ୍ଦୋଳନ କରାଯାଉଥିବାରୁ ପୁଲିସ ରାସ୍ତା ଖୋଲିବାକୁ ଉଦ୍ୟମ କରିଥିଲା। ଏହାକୁ ନେଇ ଡ୍ରାଇଭର ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ହାତଛଡ଼ା ହେବାର ଆଶଙ୍କାରେ ପୁଲିସ ଲାଠିଚାର୍ଜ କରିଥିଲା। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବାବେଳେ ଆଇନଶୃଙ୍ଖଳା ରକ୍ଷା ଓ ଯାତାୟାତ ସ୍ୱାଭାବିକ କରିବାକୁ ପୁଲିସ ମୁତୟନ କରାଯାଇଛି।
ଆନ୍ଦୋଳନକାରୀ ଡ୍ରାଇଭରମାନେ ଅଭିଯୋଗ କରିଛନ୍ତି ଯେ, ସରକାର ଓ ଅନଲାଇନ୍ କ୍ୟାବ୍ କମ୍ପାନୀ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ସେମାନଙ୍କ ସମସ୍ୟା ଶୁଣାଯାଉନାହିଁ। ନିଜ ଦାବି ପୂରଣ ନହେଉଥିବାରୁ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଡ୍ରାଇଭରମାନଙ୍କ ଚେତାବନୀ, ସେମାନଙ୍କ ୭ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ। ଫଳରେ ଆନ୍ଦୋଳନ ଆହୁରି ଲମ୍ବା ହେବାର ଆଶଙ୍କା ରହିଛି। ଏବେ ନଜର ରହିଛି ସରକାର ଓ ଆନ୍ଦୋଳନକାରୀ ଡ୍ରାଇଭରମାନଙ୍କ ମଧ୍ୟରେ ଆଲୋଚନା କେବେ ହେଉଛି ଏବଂ ମାଷ୍ଟରକ୍ୟାଣ୍ଟିନ ସମେତ ରାଜଧାନୀର ଯାତାୟାତ କେବେ ସ୍ୱାଭାବିକ ହେଉଛି।












Leave a Reply