ଉଦଳା ବଜାରରେ ବୁଲା କୁକୁର ଆତଙ୍କ: ୪ ପଥଚାରୀଙ୍କୁ କାମୁଡ଼ିଲେ, ଭୟରେ ଲୋକେ

ଅକ୍ଷର ବ୍ୟୁରୋ: ଉଦଳା ବଜାର ଅଞ୍ଚଳରେ ବଢ଼ିଛି ବୁଲା କୁକୁରଙ୍କ ଆତଙ୍କ। ରାସ୍ତାରେ ଯାଉଥିବା ଲୋକଙ୍କୁ ଅଚାନକ ଆକ୍ରମଣ କରୁଥିବାରୁ ଭୟର ପରିବେଶ ସୃଷ୍ଟି ହୋଇଛି। ବୁଲା କୁକୁରଙ୍କ କାମୁଡ଼ାରେ ୪ ଜଣ ପଥଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ତୁରନ୍ତ ଉଦଳା ମେଡିକାଲକୁ ନିଆଯାଇ ସେଠାରେ ଚିକିତ୍ସା କରାଯାଇଛି।

ସୂଚନା ଅନୁସାରେ, ଉଦଳାର ସତସଙ୍ଗ ଛକ ଓ ପରିବା ବଜାର ଛକ ନିକଟରେ ଏକାଧିକ ବୁଲା କୁକୁର ଘୁରି ବୁଲୁଛନ୍ତି। ବିଭିନ୍ନ ଅଞ୍ଚଳରୁ ଲୋକେ ବଜାରକୁ ଆସୁଥିବା ସମୟରେ ଏହି କୁକୁରମାନେ ହଠାତ୍‌ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ବଜାରକୁ ଯାଉଥିବା ବିଭିନ୍ନ ସ୍ଥାନର ୪ ଜଣଙ୍କୁ କୁକୁରମାନେ କାମୁଡ଼ି ଆହତ କରିଥିବା ଜଣାପଡ଼ିଛି। ଆକ୍ରମଣ ପରେ ସମ୍ପର୍କୀୟମାନେ ଓ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦଳା ମେଡିକାଲକୁ ନେଇଥିଲେ। ସେଠାରେ ସେମାନଙ୍କର ଆବଶ୍ୟକ ଚିକିତ୍ସା କରାଯାଇଛି। ଗୋଟିଏ ପରେ ଗୋଟିଏ ଲୋକଙ୍କୁ କୁକୁର ଆକ୍ରମଣ କରୁଥିବା ଘଟଣା ସାମ୍ନାକୁ ଆସିବା ପରେ ବଜାରକୁ ଯିବାକୁ ମଧ୍ୟ ଲୋକେ ଭୟ କରୁଛନ୍ତି।

ବଜାର ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିବା ସହ ଲୋକଙ୍କ ଚିନ୍ତା ମଧ୍ୟ ବଢ଼ିଛି। ବିଶେଷକରି ଛୋଟ ପିଲା, ବୟସ୍କ ଓ ଏକାକୀ ଯାତାୟାତ କରୁଥିବା ଲୋକ ସୁରକ୍ଷାକୁ ନେଇ ଆତଙ୍କିତ ଅଛନ୍ତି। ଭିଡ଼ ଅଞ୍ଚଳରେ ହଠାତ୍‌ କୁକୁର ଆକ୍ରମଣ ଯୋଗୁଁ ଆହୁରି ଲୋକ ଆହତ ହେବାର ଆଶଙ୍କା ରହିଛି। ବୁଲା କୁକୁରଙ୍କ ଆତଙ୍କ ରୋକିବା ସହ ଲୋକଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଉଦଳାବାସୀ ଦାବି କରିଛନ୍ତି। ସ୍ଥାନୀୟ ପ୍ରଶାସନ ସହ ସମ୍ପୃକ୍ତ ବିଭାଗ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଶୀଘ୍ର ବ୍ୟବସ୍ଥା ନେବାକୁ ଦାବି ହୋଇଛି। ବିଶେଷକରି ବଜାରର ଯେଉଁ ଅଞ୍ଚଳରେ କୁକୁରମାନେ ଦଳବଦ୍ଧ ଭାବେ ଘୁରୁଛନ୍ତି, ସେଠାରେ ତୁରନ୍ତ ନଜରଦାରୀ ଓ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇ ଲୋକଙ୍କ ଭୟ ଦୂର କରିବାକୁ ଦାବି ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial