ମୁରିବାହାଲରେ ପୁଣି ହାତୀ ଆତଙ୍କ: ଗାଁରେ ପଶି ଭାଙ୍ଗିଲେ ଘର, ନଷ୍ଟ କଲେ ଧାନ-ପଳା

ଅକ୍ଷର ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ପୁଣି ବଢ଼ିଛି ହାତୀ ଆତଙ୍କ। କିଛି ଦିନର ବ୍ୟବଧାନ ପରେ ପୁଣି ଗାଁମୁହାଁ ହୋଇଛି ହାତୀପଲ। ମୁରିବାହାଲ ରେଞ୍ଜ ଅନ୍ତର୍ଗତ କୁମ୍ଭାରୀ ଗାଁର ମାଝୀପଡ଼ାରେ ୧୬ ଟିକିଆ ହାତୀପଲ ପଶି ଘରଦ୍ୱାର ଭାଙ୍ଗିବା ସହ ଧାନ ଓ ପଳା ନଷ୍ଟ କରିଥିବା ଅଭିଯୋଗ ହୋଇଛି। ହାତୀପଲ ଗାଁ ଭିତରକୁ ପଶି ନେତ୍ର ଭୋଇଙ୍କ ଘର ଭାଙ୍ଗି ଦେଇଛି। ହଠାତ୍‌ ୧୬ଟି ହାତୀ ଗାଁ ଭିତରେ ପଶି ଆସିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ହାତୀଙ୍କୁ ଦେଖି ଲୋକେ ଘରୁ ବାହାରକୁ ନବାହାରି ସତର୍କ ରହିଥିଲେ।

ସ୍ଥାନୀୟ ସୂଚନା ଅନୁସାରେ, ଏହି ୧୬ ଟିକିଆ ହାତୀପଲ ଗତ କିଛି ଦିନ ଧରି ମୁରିବାହାଲ ରେଞ୍ଜର ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଛି। ବାରମ୍ବାର ହାତୀପଲ ଗାଁ ନିକଟକୁ ଆସୁଥିବାରୁ ଲୋକଙ୍କ ଜୀବନ ଓ ଧନସମ୍ପତ୍ତିର ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଏପଟେ ହାତୀପଲ ଘର ଭାଙ୍ଗିବା ସହ ଚାଷଜମି ଓ ଘରେ ରହିଥିବା ଧାନ, ପଳା ଆଦି ନଷ୍ଟ କରିଥିବାରୁ କ୍ଷତିଗ୍ରସ୍ତ ପରିବାର ଚିନ୍ତାରେ ପଡ଼ିଛନ୍ତି।

ଖବର ପାଇ ବନ ବିଭାଗ ପକ୍ଷରୁ ଗାଁ ଲୋକଙ୍କୁ ସଚେତନ କରାଯାଇଛି। ହାତୀପଲର ଗତିବିଧି ଉପରେ ବନ କର୍ମଚାରୀମାନେ ନଜର ରଖିଛନ୍ତି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ହାତୀପଲକୁ ସୁରକ୍ଷିତ ଭାବେ ଜଙ୍ଗଲ ଆଡ଼କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି। ବନ ବିଭାଗ ପକ୍ଷରୁ ହାତୀଙ୍କ ନିକଟକୁ ନଯିବା, ରାତି ସମୟରେ ଏକାକୀ ବାହାରକୁ ନବାହାରିବା ଏବଂ ହାତୀପଲର ଗତିବିଧି ସମ୍ପର୍କରେ ସୂଚନା ମିଳିଲେ ସତର୍କ ରହିବାକୁ ଲୋକଙ୍କୁ କୁହାଯାଇଛି। ହାତୀପଲ ଯୋଗୁଁ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ନିୟମାନୁସାରେ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ବାରମ୍ବାର ହାତୀ ଗାଁମୁହାଁ ହେଉଥିବାରୁ ହାତୀ-ମଣିଷ ସଂଘର୍ଷ ରୋକିବାକୁ ସ୍ଥାୟୀ ଓ ପ୍ରଭାବୀ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏବେ ସ୍ଥାନୀୟ ଲୋକଙ୍କ ନଜର ହାତୀପଲ କେବେ ଜଙ୍ଗଲକୁ ଫେରୁଛି ଏବଂ ଆଗକୁ ଏଭଳି ଘଟଣା ରୋକିବାକୁ ବନ ବିଭାଗ କି ପଦକ୍ଷେପ ନେଉଛି, ତାହା ଉପରେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial