ଅକ୍ଷର ବ୍ୟୁରୋ: ମନ୍ଦିରରେ ପୁଣି ଚୋରି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ପଳାଶପୁର ଗାଁର କାଳୀ ମନ୍ଦିରରେ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ଭିତରକୁ ପଶିବା ପରେ ଦାନ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି।
ଆଜି ଭୋରୁ ମନ୍ଦିରର ପୂଜକ ପୂଜା ପାଇଁ ଆସିବା ବେଳେ ଘଟଣାଟି ସାମ୍ନାକୁ ଆସିଥିଲା। ମନ୍ଦିରର ମୁଖ୍ୟ ଦ୍ୱାରର ତାଲା ଭଙ୍ଗା ଥିବା ସହ ଭିତରେ ଥିବା ଦାନ ହୁଣ୍ଡି ମଧ୍ୟ ଭଙ୍ଗା ଯାଇଥିବା ସେ ଦେଖିଥିଲେ। ଘଟଣା ଜଣାପଡ଼ିବା ପରେ ପୂଜକ ତୁରନ୍ତ ମନ୍ଦିର କମିଟିକୁ ସୂଚନା ଦେଇଥିଲେ। ଖବର ପାଇ ମନ୍ଦିର କମିଟିର ସଦସ୍ୟମାନେ ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରିଥିଲେ। ପରେ ପାଟପୁର ପୁଲିସକୁ ଚୋରି ସମ୍ପର୍କରେ ଜଣାଇଥିଲେ। ସୂଚନା ପାଇ ପାଟପୁର ପୁଲିସ ମନ୍ଦିରରେ ପହଞ୍ଚି ଘଟଣାସ୍ଥଳ ଯାଞ୍ଚ କରିବା ସହ ଚୋରିର ତଦନ୍ତ ଆରମ୍ଭ କରିଛି।
ତେବେ ହୁଣ୍ଡିରୁ ଠିକ୍ କେତେ ଟଙ୍କା ଚୋରି ହୋଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ହୁଣ୍ଡିରେ ଥିବା ଟଙ୍କାର ହିସାବ ଯାଞ୍ଚ ପରେ ହିଁ ପ୍ରକୃତ ଚୋରି ପରିମାଣ ଜଣାପଡ଼ିବ |ପୁଲିସର ପ୍ରାଥମିକ ଅନୁମାନ ଅନୁସାରେ, ଦୁର୍ବୃତ୍ତମାନେ ପ୍ରଥମେ ମନ୍ଦିରର ମୁଖ୍ୟ ଦ୍ୱାର ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ପରେ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି। ଚୋରମାନଙ୍କୁ ଚିହ୍ନଟ କରି ଧରିବା ପାଇଁ ପାଟପୁର ପୁଲିସ ତଦନ୍ତ ଜାରି ରଖିଛି। ମନ୍ଦିର ଆଖପାଖ ଅଞ୍ଚଳରେ କୌଣସି ସୁରାକ ମିଳୁଛି କି ନାହିଁ, ସେନେଇ ମଧ୍ୟ ଯାଞ୍ଚ କରାଯାଉଛି।












Leave a Reply