ଅକ୍ଷର ବ୍ୟୁରୋ: ରାଜସ୍ୱ ବିବାଦ କିମ୍ବା ବିଭିନ୍ନ ରାଜସ୍ୱ ସେବା ପାଇଁ ଆଉ ବାରମ୍ବାର ସରକାରୀ ଅଫିସ୍ ଦୌଡ଼ିବାକୁ ପଡ଼ିବ ନାହିଁ। ଏଣିକି ଘରେ ବସି ହାତ ପାଆନ୍ତୁ ରାଜସ୍ୱ ବିଭାଗର ବିଭିନ୍ନ ସେବା। ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ‘ଅମସାଥି ଚାଟ୍ବଟ୍ ଆପ୍’ର ଶୁଭାରମ୍ଭ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଚାଟ୍ବଟ୍ ଜରିଆରେ ପ୍ରଥମ ପର୍ଯ୍ୟାୟରେ ରାଜସ୍ୱ ବିଭାଗର ୧୬ଟି ସେବା ଉପଲବ୍ଧ ହେବ। ଆଗାମୀ ଦିନରେ ଆଉ ୨ଟି ସେବା ଏଥିରେ ଯୋଡ଼ାଯିବ। ପୂର୍ବରୁ ଚାଟ୍ବଟ୍ ମାଧ୍ୟମରେ ୧୧ଟି ସେବା ପ୍ରଦାନର ବ୍ୟବସ୍ଥା ଥିଲା। ଏବେ ଏହାକୁ ଆହୁରି ବ୍ୟାପକ କରାଯାଇଛି।
ନାଗରିକମାନେ ଚାଟ୍ବଟ୍ ମାଧ୍ୟମରେ ମ୍ୟୁଟେସନ୍, କିସମ ପରିବର୍ତ୍ତନ, ବିବାହ ପଞ୍ଜିକରଣ, ସୋସାଇଟି ରେଜିଷ୍ଟ୍ରେସନ୍, ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଓ ବାସସ୍ଥାନ ପ୍ରମାଣପତ୍ର ଭଳି ସେବା ପାଇପାରିବେ। ଏହାସହ ଭୂଲେଖରେ ପଟ୍ଟା ସମ୍ପର୍କିତ ବିଭିନ୍ନ ତଥ୍ୟ ମଧ୍ୟ ଜାଣିହେବ। ଏହି ବ୍ୟବସ୍ଥାର ସବୁଠାରୁ ବଡ଼ ସୁବିଧା ହେଉଛି ଆବେଦନ କରିବା ପରେ ତାହାର ସ୍ଥିତି ବା ଆପ୍ଲିକେସନ୍ ଷ୍ଟାଟସ୍ ମଧ୍ୟ ଚାଟ୍ବଟ୍ ଜରିଆରେ ଜାଣିପାରିବେ ନାଗରିକ। ଫଳରେ ଫାଇଲ୍ କେଉଁଠି ଅଛି ବୋଲି ଜାଣିବା ପାଇଁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଯିବା ଆବଶ୍ୟକତା କମିବ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଏହି ବ୍ୟବସ୍ଥା ମାଧ୍ୟମରେ ଏପର୍ଯ୍ୟନ୍ତ କଲମ୍-ଟୁ-କରେକ୍ସନ୍ ସମ୍ପର୍କିତ ପ୍ରାୟ ୧ କୋଟି ମାମଲା ପ୍ରକ୍ରିୟାକରଣ ହୋଇଛି। ରାଜସ୍ୱ ସେବା ସମ୍ପର୍କିତ ସମସ୍ୟା କିମ୍ବା ଅଭିଯୋଗ ପାଇଁ ୯୪୩୭୨୯୨୦୦୦ ନମ୍ବରରେ ମଧ୍ୟ ଯୋଗାଯୋଗ କରିହେବ। ଚାଟ୍ବଟ୍ ବ୍ୟବସ୍ଥାକୁ ହ୍ୱାଟ୍ସଆପ୍ ଭିତ୍ତିକ କରାଯାଇଥିବାରୁ ସାଧାରଣ ଲୋକଙ୍କ ପାଇଁ ଏହା ଆହୁରି ସହଜ ହେବ ବୋଲି ବିଭାଗ ଆଶା କରୁଛି। ଓଡ଼ିଶାରେ ପ୍ରାୟ ୧ କୋଟି ୬୫ ଲକ୍ଷ ଲୋକ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି। ତେଣୁ ଲୋକମାନେ ଯେଉଁ ପ୍ଲାଟଫର୍ମ ସହ ପରିଚିତ, ସେହି ମାଧ୍ୟମରେ ରାଜସ୍ୱ ସେବା ଦେବା ଦ୍ୱାରା ଡିଜିଟାଲ୍ ସେବାର ପହଞ୍ଚ ଆହୁରି ବଢ଼ିବ। ସରକାରଙ୍କ ଏହି ପଦକ୍ଷେପ ରାଜସ୍ୱ ବିଭାଗର ସେବାକୁ ଆହୁରି ସହଜ, ଶୀଘ୍ର ଓ ଲୋକାଭିମୁଖୀ କରିବା ସହ ଅଫିସ୍ ଦୌଡ଼, ସମୟ ଓ ଖର୍ଚ୍ଚ କମାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।












Leave a Reply