ଅକ୍ଷର ବ୍ୟୁରୋ: ଗୋଟିଏ ପାଣିପାଗ ପ୍ରଣାଳୀର ପ୍ରଭାବ ସରିନଥିବାବେଳେ ଓଡ଼ିଶା ଆଡ଼କୁ ପୁଣି ଆସୁଛି ଲଘୁଚାପ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ତଥ୍ୟ ଅନୁସାରେ, ଅଗଷ୍ଟ ୨୨ରୁ ୨୩ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏକ ନୂଆ ଲଘୁଚାପ କ୍ଷେତ୍ର ଗଠନର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୨ ତାରିଖରୁ ରାଜ୍ୟରେ ବର୍ଷା ପୁଣି ବଢ଼ିପାରେ।
ଏପଟେ ବର୍ତ୍ତମାନ ଉତ୍ତର ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ଅବପାତ ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିବାବେଳେ ଆଗାମୀ ସମୟରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ଥିବା IMD କହିଛି। ବର୍ତ୍ତମାନର ପାଣିପାଗ ପ୍ରଣାଳୀର ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀରରେ ବିଜୁଳି-ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ରହିଛି।
ବର୍ତ୍ତମାନର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଅଗ୍ରସର ହେଉଥିବାରୁ ଓଡ଼ିଶାରେ ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି। ତେବେ ଏହି ବିରତି ଦୀର୍ଘ ହେବ ନାହିଁ। ୨୨-୨୩ ଆଡ଼କୁ ନୂଆ ଲଘୁଚାପ ଗଠନ ହେଲେ ପୁଣି ରାଜ୍ୟରେ ବର୍ଷା ବଢ଼ିପାରେ। ଅର୍ଥାତ୍ ପ୍ରଥମେ ଅବପାତର ପ୍ରଭାବ, ତା’ପରେ ଅଳ୍ପ ବିରତି ଏବଂ ପୁଣି ଉତ୍ତର ଓଡ଼ିଶା ଉପକୂଳ ନିକଟରେ ନୂଆ ଲଘୁଚାପ ପର୍ଯ୍ୟାୟକ୍ରମେ ପାଣିପାଗରେ ପରିବର୍ତ୍ତନ ଆସିବାର ସଙ୍କେତ ମିଳୁଛି। ତେଣୁ ଆଗାମୀ କିଛି ଦିନ ଧରି ଓଡ଼ିଶାରେ ବର୍ଷା ସ୍ଥିତି ଉପରେ ନଜର ରଖିବା ଜରୁରୀ।












Leave a Reply