ବନ୍ୟା ଛାଡ଼ିଗଲା, ହେଲେ ଛାଡ଼ିନି ଚାଷୀଙ୍କ ଦୁଃଖ: ଏବେବି ପାଣିରେ ବୁଡ଼ିଛି ଶହ ଶହ ଏକର ଜମି

ଅକ୍ଷର ବ୍ୟୁରୋ: ବନ୍ୟାଜଳ ହ୍ରାସ ପାଇଛି, ହେଲେ ଚାଷୀଙ୍କ ଦୁର୍ଦ୍ଦଶା ହ୍ରାସ ପାଇନାହିଁ। ଏବେବି ବନ୍ୟାଜଳରେ ବୁଡ଼ି ରହିଛି ଶହ ଶହ ଏକର ଚାଷଜମି। ଫଳରେ ଚଳିତ ବର୍ଷ ଧାନ ଚାଷ କେମିତି ହେବ, ଧାନ କେବେ ଅମଳ ହେବ ଏହି ଚିନ୍ତାରେ ମୁଣ୍ଡରେ ହାତ ଦେଇଛନ୍ତି କେନ୍ଦୁଝର ଜିଲ୍ଲା ହାଟଡ଼ିହି ଅଞ୍ଚଳର ଚାଷୀ।

ଶ୍ରାବଣ ମାସ ଶେଷ ହୋଇ ଭାଦ୍ରବ ଆରମ୍ଭ ହୋଇସାରିଥିଲେ ମଧ୍ୟ ଅନେକ ଚାଷଜମି ଏବେବି ପାଣିରେ ବୁଡ଼ିଛି। ଏଭଳି ସ୍ଥିତିରେ ଚାଷଜମି ପ୍ରସ୍ତୁତ କରିବା, ତଳି ପକାଇବା ଏବଂ ଧାନ ରୋଇବା ନେଇ ଚାଷୀଙ୍କ ଆଶା ମଉଳିବାରେ ଲାଗିଛି। ବନ୍ୟା ପରେ ଜମିରୁ ପାଣି ନିସ୍କାସିତ ନହେବାରୁ ଚାଷ କାର୍ଯ୍ୟ ଆରମ୍ଭ କରିବା ସମ୍ଭବ ହେଉନାହିଁ। ସମୟ ଗଡ଼ିଚାଲିଥିବାରୁ ଚଳିତ ବର୍ଷ ଧାନ ଚାଷ ହୋଇପାରିବ କି ନାହିଁ, ତାହା ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ଜମିରେ ଅତ୍ୟଧିକ ସମୟ ଧରି ପାଣି ଜମି ରହିଲେ ଫସଲ ନଷ୍ଟ ହେବା ସହ ନୂଆ ଚାଷ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହେବ। ତେଣୁ ବନ୍ୟା ପରେ ଜମିରୁ ଶୀଘ୍ର ପାଣି ନିଷ୍କାସନ ନହେଲେ ଚାଷୀଙ୍କ ଉପରେ ଆର୍ଥିକ ଚାପ ଆହୁରି ବଢ଼ିବା ଆଶଙ୍କା ରହିଛି।

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାର ଅନୁଦାନ ଘୋଷଣା କରିଥିବା ବେଳେ ଏବେ ଏହାର ଲାଭ କେବେ ମିଳିବ, ତାହା ନେଇ ଚାଷୀଙ୍କ ମନରେ ଦ୍ୱନ୍ଦ୍ୱ। ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ଅନୁସାରେ, ଏଯାଏଁ ଅନେକ କ୍ଷତିଗ୍ରସ୍ତ ଚାଷଜମିର କ୍ଷୟକ୍ଷତି ଆକଳନ ହୋଇନାହିଁ। ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ କ୍ଷତିର ଯାଞ୍ଚ କରିନଥିବାରୁ ସରକାରୀ ସହାୟତା କେବେ ମିଳିବ, ସେନେଇ ଚାଷୀ ଅନିଶ୍ଚିତତାରେ ଅଛନ୍ତି। ଏକପଟେ ବନ୍ୟାଜଳରେ ଚାଷଜମି ବୁଡ଼ି ରହିଥିବାରୁ ଚଳିତ ବର୍ଷର ଧାନ ଚାଷ ପ୍ରଭାବିତ ହେବାର ଆଶଙ୍କା, ଅନ୍ୟପଟେ କ୍ଷୟକ୍ଷତିର ଆକଳନ ନହେବା ଓ ସରକାରୀ ସହାୟତାରେ ବିଳମ୍ବ ଏହି ଦୁଇଟି ସମସ୍ୟା ହାଟଡ଼ିହି ଅଞ୍ଚଳର ଚାଷୀଙ୍କ ଚିନ୍ତାକୁ ଆହୁରି ଗଭୀର କରିଛି। ଚାଷୀଙ୍କ ଦାବି, ଶୀଘ୍ର ଜମିରୁ ପାଣି ନିଷ୍କାସନ ବ୍ୟବସ୍ଥା କରାଯିବା ସହ କ୍ଷତିଗ୍ରସ୍ତ ଜମିର ତୁରନ୍ତ ଆକଳନ କରାଯାଉ। ଏହାପରେ ନିୟମାନୁସାରେ ସରକାରୀ ସହାୟତା ମିଳିଲେ ଚାଷୀ କିଛି ମାତ୍ରାରେ ଆଶ୍ୱସ୍ତ ହୋଇପାରିବେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial