ଅକ୍ଷର ବ୍ୟୁରୋ: ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ନେଇ ମଧ୍ୟପ୍ରାଚ୍ୟରେ ପୁଣି ତୀବ୍ର ହୋଇଛି ଉତ୍ତେଜନା। ଇରାନ ଓ ଓମାନ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥରେ ଜାହାଜ ଚଳାଚଳ ପରିଚାଳନା ନେଇ ଚାଲିଥିବା ବୁଝାମଣାକୁ ନେଇ ଆମେରିକା ସହ ମତଭେଦ ତୀବ୍ର ହୋଇଛି। ରିପୋର୍ଟ ଅନୁସାରେ, ଓମାନ ଯଦି ଆମେରିକାର ଇରାନ ନୀତିରେ ବାଧା ସୃଷ୍ଟି କରେ, ତେବେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ହର୍ମୁଜ୍ ଷ୍ଟ୍ରେଟ୍ ବିଶ୍ୱର ସବୁଠାରୁ ରଣନୈତିକ ଜଳପଥ ମଧ୍ୟରୁ ଅନ୍ୟତମ। ବିଶ୍ୱର ସମୁଦ୍ରପଥ ଦ୍ୱାରା ପରିବହନ ହେଉଥିବା ବହୁତ ଅଂଶ ତୈଳ ଏହି ଜଳପଥ ଦେଇ ଯାଇଥାଏ। ଏହି କାରଣରୁ ଏଠାରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବା ମାତ୍ରେ ବିଶ୍ୱ ଶକ୍ତି ବଜାରରେ ଚିନ୍ତା ବଢ଼ୁଛି। ଇରାନ ଓ ଓମାନ ମଧ୍ୟରେ ହର୍ମୁଜ୍ ଦେଇ ଜାହାଜ ଚଳାଚଳ ନେଇ ଏକ ବୁଝାମଣା ଆଗକୁ ବଢ଼ୁଥିବା ଖବର ମଧ୍ୟରେ ଆମେରିକା ଏହାର କିଛି ଅଂଶକୁ ବିରୋଧ କରୁଛି। ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଲୋଚନା ନେଇ ମଧ୍ୟ ଅନିଶ୍ଚିତତା ଗଭୀର ହୋଇଛି। ଟ୍ରମ୍ପ କହିଛନ୍ତି ଯେ ଇରାନ ସହ ଏବେ କୌଣସି ଆଲୋଚନା ଚାଲିନାହିଁ କିମ୍ବା ନୂଆ ଆଲୋଚନା ନିର୍ଦ୍ଧାରିତ ହୋଇନାହିଁ।
ଅନ୍ୟପଟେ, ଇରାନ ହର୍ମୁଜ୍ ଷ୍ଟ୍ରେଟ୍ ଖୋଲିବା ପାଇଁ ଆମେରିକାର କିଛି ଦାବି ପୂରଣ ହେବା ଆବଶ୍ୟକ ବୋଲି ଆଭାସ ଦେଇଛି। ଫଳରେ ଦୁଇ ଦେଶ ମଧ୍ୟରେ ଅଚଳାବସ୍ଥା ଆହୁରି ଗଭୀର ହୋଇଛି। ହର୍ମୁଜ୍ ଷ୍ଟ୍ରେଟ୍ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ ଆହୁରି କଡ଼ା ହୋଇଛି। ସେ ସୋସିଆଲ ମିଡିଆରେ ଏକ ମାନଚିତ୍ର ପୋଷ୍ଟ କରି ହର୍ମୁଜ୍ ଷ୍ଟ୍ରେଟ୍କୁ “ନ୍ୟୁ ୟୁଏସ୍ ଟେରିଟୋରୀ” ବୋଲି ଚିହ୍ନିତ କରିଥିବା ରିପୋର୍ଟ ଆସିଛି। ଏହାକୁ ଇରାନ ତୀବ୍ର ବିରୋଧ କରିଛି। ହର୍ମୁଜ୍ ଦେଇ ଜାହାଜ ଚଳାଚଳ ଉପରେ ଅନିଶ୍ଚିତତା ବଢ଼ିବାର ପ୍ରଭାବ ସିଧାସଳଖ ତୈଳ ବଜାରରେ ଦେଖାଯାଉଛି। ଅଗଷ୍ଟ ୧୭ରେ ବ୍ରେଣ୍ଟ୍ କ୍ରୁଡ୍ ୯୦.୮୭ ଡଲାର ପ୍ରତି ବ୍ୟାରେଲରେ ବନ୍ଦ ହୋଇଥିଲା। ଅଗଷ୍ଟ ୧୯ରେ ଏହା ୯୧ ଡଲାରରୁ ଉପରେ ରହିଥିଲା; ରଏଟର୍ସ ଅନୁସାରେ ବ୍ରେଣ୍ଟ୍ ଫ୍ୟୁଚର୍ସ ୯୧.୨୮ ଡଲାର ପର୍ଯ୍ୟନ୍ତ ବଢ଼ିଥିଲା। ହର୍ମୁଜ୍ରେ ଜାହାଜ ଚଳାଚଳ ଦୀର୍ଘସମୟ ପାଇଁ ବ୍ୟାହତ ହେଲେ ତୈଳ ଓ ଗ୍ୟାସ୍ ଯୋଗାଣ, ପରିବହନ ଖର୍ଚ୍ଚ ଓ ବିଶ୍ୱ ବଜାରରେ ମୂଲ୍ୟ ଉପରେ ଆହୁରି ଚାପ ପଡ଼ିବାର ଆଶଙ୍କା ରହିଛି।
















Leave a Reply