ଅକ୍ଷର ବ୍ୟୁରୋ: ବିଳମ୍ବିତ ରାତିରେ ୫୩ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା। କାମାକ୍ଷାନଗର ଥାନା ଅଧୀନ ଶିବିଳାପଶି ଓଭରବ୍ରିଜ୍ ଉପରେ ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କାଲୁରିଆ ଗ୍ରାମର ୩୨ ବର୍ଷୀୟ ବିପିନ ବେହେରା।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଏକ ଟାଟା ସଫାରୀ ପରଜଙ୍ଗ ପଟୁ କାମାକ୍ଷାନଗର ଅଭିମୁଖେ ଆସୁଥିଲା। ଶିବିଳାପଶି ଓଭରବ୍ରିଜ୍ ଉପରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ କାର୍ ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ଉଭୟ ଗାଡ଼ିର ବେଗ ଅଧିକ ଥିବାରୁ ଧକ୍କାର ତୀବ୍ରତା ଅଧିକ ଥିଲା। ଦୁର୍ଘଟଣାରେ ଦୁଇଟି ଗାଡ଼ିର ସମ୍ମୁଖ ଭାଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏୟାରବ୍ୟାଗ୍ ମଧ୍ୟ ଖୋଲିଯାଇଥିଲା।
ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ, ଗାଡ଼ିରେ ଥିବା କିଛି ଲୋକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପରେ ଆହତମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲକୁ ପଠାଯାଇଥିଲା। କାମାକ୍ଷାନଗର ମେଡିକାଲରେ ଚିକିତ୍ସା ସମୟରେ ଡାକ୍ତର ବିପିନ ବେହେରାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣା ପରେ କାମାକ୍ଷାନଗର ପୁଲିସ ତଦନ୍ତ ଆରମ୍ଭ କରିଛି। ଦୁଇଟି ଗାଡ଼ିର ବେଗ ଓ ଅନ୍ୟାନ୍ୟ ପରିସ୍ଥିତି ସମ୍ପର୍କରେ ତଦନ୍ତ କରାଯାଉଛି। ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।














Leave a Reply