ବେଲୁଚିସ୍ତାନରେ BLAର ବଡ଼ ଦାବି: ୮ ଦିନରେ ୨୨ ଆକ୍ରମଣ, ୨୬ ପାକ୍ ସୁରକ୍ଷାକର୍ମୀ ନିହତ!

ଅକ୍ଷର ବ୍ୟୁରୋ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପୁଣି ତୀବ୍ର ହୋଇଛି ସଶସ୍ତ୍ର ସଂଘର୍ଷ। ବଲୁଚିସ୍ତାନ ଲିବରେସନ ଆର୍ମି (BLA) ସୋମବାର ଏକ ବିବୃତି ଜାରି କରି ଦାବି କରିଛି ଯେ, ଗତ ୮ ଦିନରେ ପ୍ରଦେଶର ବିଭିନ୍ନ ସ୍ଥାନରେ ୨୨ଟି ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୨୬ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀ ନିହତ ହୋଇଥିବା ଗୋଷ୍ଠୀ ପକ୍ଷରୁ ଦାବି କରାଯାଇଛି। ତେବେ ଏହି ଦାବିଗୁଡ଼ିକର ସ୍ୱାଧୀନ ସତ୍ୟାପନ ହୋଇନାହିଁ।

BLAର ଦାବି ଅନୁସାରେ, କଳାତ ଓ ସୁରବ ଅଞ୍ଚଳରେ ହୋଇଥିବା IED ବିସ୍ଫୋରଣରେ ୨୦ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଚଗାଇ, ଖାରାନ ଓ ପଞ୍ଜଗୁର ଅଞ୍ଚଳରେ ପୁଲିସ ଏବଂ ସୁରକ୍ଷା ପୋଷ୍ଟକୁ ଟାର୍ଗେଟ୍ କରାଯାଇଥିବା ଦାବି ହୋଇଛି। BLA ଆହୁରି ଦାବି କରିଛି ଯେ ନୁଶ୍କି, ତୁରବତ ଓ କ୍ୱେଟା ଅଞ୍ଚଳରେ ମଧ୍ୟ ଆକ୍ରମଣ କରାଯାଇଛି। ବାଣିଜ୍ୟିକ ଯାନବାହନ ଏବଂ ପାକିସ୍ତାନୀ ସେନା ସହ ଜଡ଼ିତ ଯାନକୁ ଟାର୍ଗେଟ୍ କରାଯାଇଥିବା ସହ ୯ଟି ଯାନ ନଷ୍ଟ କରାଯାଇଥିବା ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ରାସ୍ତା, ରେଳ ଭିତ୍ତିଭୂମି, ସୁରକ୍ଷା ପ୍ରତିଷ୍ଠାନ ଓ ଅର୍ଥନୈତିକ ପ୍ରକଳ୍ପଗୁଡ଼ିକୁ ମଧ୍ୟ ଆକ୍ରମଣର ଟାର୍ଗେଟ୍ କରାଯାଇଥିବା BLA ଦାବି କରିଛି।

BLA ଏହି ଅଭିଯାନକୁ ସୁରବ ଅଞ୍ଚଳରେ ହୋଇଥିବା ପାକିସ୍ତାନୀ ବାୟୁସେନାର ଏକ ବିମାନ ଆକ୍ରମଣର ପ୍ରତିଶୋଧ ବୋଲି ଦାବି କରିଛି। ଉକ୍ତ ଆକ୍ରମଣରେ ୨୭ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ଏବଂ ଅନେକ ଆହତ ହୋଇଥିବା ଦାବି କରାଯାଇଛି। ଏହା ପରଠାରୁ ବେଲୁଚିସ୍ତାନର ବିଭିନ୍ନ ଅଞ୍ଚଳରେ BLA ଆକ୍ରମଣ ଜାରି ରଖି ପାକିସ୍ତାନୀ ସେନା ଓ ସରକାର ଉପରେ ଚାପ ବଢ଼ାଉଥିବା ଦାବି କରାଯାଉଛି। ଗତ ସପ୍ତାହରେ ବେଲୁଚିସ୍ତାନର ମାସ୍ତୁଙ୍ଗ ଅଞ୍ଚଳରେ ପ୍ରାନ୍ତୀୟ ଗୃହମନ୍ତ୍ରୀ ମୀର୍ ଜିଆଉଲ୍ଲାହ ଲାଙ୍ଗୋଙ୍କ ଗାଡ଼ିକୁ ଟାର୍ଗେଟ୍ କରାଯାଇଥିବା ଦାବି ହୋଇଥିଲା। ଏହି ଘଟଣାରେ ମନ୍ତ୍ରୀଙ୍କ ସୁରକ୍ଷାକର୍ମୀଙ୍କ ସମେତ ୬ ଜଣ ଆହତ ହୋଇଥିଲେ। ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ଘଟିଥିବା ଏହି ଆକ୍ରମଣ ପରେ ବେଲୁଚିସ୍ତାନରେ ସୁରକ୍ଷା ବ୍ୟବସ୍ଥା ଓ ସରକାରୀ ନିୟନ୍ତ୍ରଣକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial