ଅକ୍ଷର ବ୍ୟୁରୋ: ରାଜସ୍ଥାନର ସରକାରୀ ସ୍କୁଲଗୁଡ଼ିକରେ ଏଣିକି ବିନା ଅନୁମତିରେ ବାହାର ଲୋକଙ୍କ ପ୍ରବେଶ ଉପରେ ଲାଗିଲା କଡ଼ା କଟକଣା। ଏଥିସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଉଠାଇବା, ଭିଡିଓ ରେକର୍ଡିଂ, ଅଡିଓ ରେକର୍ଡ, ଇଣ୍ଟରଭ୍ୟୁ ଏବଂ ଲାଇଭ୍ ଷ୍ଟ୍ରିମିଂ ପାଇଁ ମଧ୍ୟ ପୂର୍ବ ଲିଖିତ ଅନୁମତି ବାଧ୍ୟତାମୂଳକ କରାଯାଇଛି | ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସମ୍ମାନ ଓ ବ୍ୟକ୍ତିଗତ ଗୋପନୀୟତାକୁ ଗୁରୁତ୍ୱ ଦେଇ ରାଜସ୍ଥାନ ଶିକ୍ଷା ବିଭାଗ ଏହି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ନିୟମ ଅନୁସାରେ, ପ୍ରଧାନଶିକ୍ଷକ କିମ୍ବା ସଂସ୍ଥା ମୁଖ୍ୟଙ୍କ ପୂର୍ବ ଲିଖିତ ଅନୁମତି ବିନା କୌଣସି ବାହାର ଲୋକ ସ୍କୁଲ ପରିସରକୁ ପ୍ରବେଶ କରିପାରିବେ ନାହିଁ। ତେବେ ସରକାରୀ କାର୍ଯ୍ୟରେ ଆସୁଥିବା ଅଧିକୃତ ଅଧିକାରୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି।
ସ୍କୁଲକୁ ଆସୁଥିବା ପ୍ରତ୍ୟେକ ବାହାର ଲୋକଙ୍କୁ ଭିଜିଟର ରେଜିଷ୍ଟରରେ ନିଜର ଆବଶ୍ୟକ ତଥ୍ୟ ଲେଖିବାକୁ ପଡ଼ିବ। ଅନୁମତି ନଥିଲେ କୌଣସି ବ୍ୟକ୍ତି କ୍ଲାସରୁମ୍, ଲାବୋରେଟୋରୀ, ଲାଇବ୍ରେରୀ, ହଷ୍ଟେଲ କିମ୍ବା ଛାତ୍ରଛାତ୍ରୀଙ୍କ ସହ ସମ୍ପର୍କିତ ଅନ୍ୟ ଅଞ୍ଚଳକୁ ଯାଇପାରିବେ ନାହିଁ। ଆବଶ୍ୟକ ମନେହେଲେ ପ୍ରଧାନଶିକ୍ଷକ କୌଣସି ବ୍ୟକ୍ତିଙ୍କୁ ସ୍କୁଲରେ ପ୍ରବେଶ ଅନୁମତି ନଦେଇପାରିବେ। ଛାତ୍ରଛାତ୍ରୀ, ଶିକ୍ଷକ କିମ୍ବା ସ୍କୁଲର କୌଣସି କାର୍ଯ୍ୟକ୍ରମର ଫଟୋ, ଭିଡିଓ, ଅଡିଓ ରେକର୍ଡିଂ, ଇଣ୍ଟରଭ୍ୟୁ ଓ ଲାଇଭ୍ ଷ୍ଟ୍ରିମିଂ କରିବାକୁ ହେଲେ ପ୍ରଧାନଶିକ୍ଷକଙ୍କ ପୂର୍ବ ଲିଖିତ ଅନୁମତି ନେବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କ ଫଟୋ, ଭିଡିଓ କିମ୍ବା ବ୍ୟକ୍ତିଗତ ତଥ୍ୟ ଏପରି ଭାବେ ପ୍ରସାର କରାଯାଇପାରିବ ନାହିଁ, ଯାହାଦ୍ୱାରା ସେମାନଙ୍କ ସୁରକ୍ଷା କିମ୍ବା ଗୋପନୀୟତା ପ୍ରଭାବିତ ହେବ।
ବିନା ଅନୁମତିରେ ସ୍କୁଲରେ ପ୍ରବେଶ, ପରିସର ଛାଡ଼ିବାକୁ ମନା କରିବା କିମ୍ବା ଅନୁମତି ବିନା ଫଟୋ-ଭିଡିଓ କରିବା ଭଳି ଘଟଣାରେ ସ୍କୁଲ ପ୍ରଶାସନ ପୁଲିସ ଓ ଶିକ୍ଷା ବିଭାଗକୁ ଅବଗତ କରାଇପାରିବ। ଘଟଣାର ଗମ୍ଭୀରତା ଅନୁସାରେ BNS, POCSO ଆକ୍ଟ, ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଏବଂ IT ଆକ୍ଟ ଅଧୀନରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ। ତେବେ ରାଜସ୍ଥାନରେ ନୂଆ ନିୟମକୁ ନେଇ ରାଜନୈତିକ ବିବାଦ ମଧ୍ୟ ଆରମ୍ଭ ହୋଇଛି। ବିରୋଧୀ ଦଳର ନେତାମାନେ ଅଭିଯୋଗ କରିଛନ୍ତି ଯେ, ସ୍କୁଲର ମୌଳିକ ସମସ୍ୟା ସମାଧାନ କରିବା ବଦଳରେ ସରକାର ତଥ୍ୟ ଓ ଗ୍ରାଉଣ୍ଡ ରିପୋର୍ଟିଂ ଉପରେ କଟକଣା ଲଗାଉଛନ୍ତି। ଅନ୍ୟପକ୍ଷରେ ସରକାରର ଯୁକ୍ତି ହେଉଛି ନିୟମର ମୁଖ୍ୟ ଉଦ୍ଦେଶ୍ୟ କୌଣସି ରିପୋର୍ଟିଂକୁ ରୋକିବା ନୁହେଁ, ବରଂ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସମ୍ମାନ ଓ ଗୋପନୀୟତା ସୁନିଶ୍ଚିତ କରିବା।













Leave a Reply